ଚାକିରି ନାଁରେ ଠକିନେଲେ ଦେଢ କୋଟି । ବଡ଼ ରାକେଟର ପର୍ଦ୍ଦାଫାଶ କଲା ଭୁବନେଶ୍ୱର ସାଇବର ଥାନା , ଅନଲାଇନରେ ଇଣ୍ଟରଭ୍ୟୁ ନେଇ ଲୁଟୁଥିଲେ ।

311

କନକ ବ୍ୟୁରୋ: ଅନଲାଇନରେ ନିଯୁକ୍ତି ୱେବସାଇଟ୍ ଖୋଲି ଚାକିରି ଆଶାୟୀଙ୍କୁ ଠକୁଥିବା ଏକ ବଡ଼ ଧରଣର ର୍ୟାକେଟର ପର୍ଦ୍ଦାଫାସ୍ । ର୍ୟାକେଟ୍ର ୩ ଜଣଙ୍କୁ ଗିରଫ କରିଛି ଭୁବନେଶ୍ୱର ସାଇବର ଓ ଅର୍ଥନୈତିକ ଅପରାଧ ଥାନା । ନାମୀଦାମୀ କମ୍ପାନୀରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ଯୁବକଯୁବତୀଙ୍କଠାରୁ ଦେଢ କୋଟିରୁ ଅଧିକ ଟଙ୍କା ଠକି ନେଇଥିଲେ ।

ଏମାନେ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଶତାଧିକ ବେକାର ଯୁବକ ଯୁବତୀଙ୍କଠାରୁ ଠକିଥିବା ଜଣାପଡ଼ିଛି । ଯିଏ ଲୋଭରେ ପଡ଼ିଲା ଟେଲି କଲିଂ ମାଧ୍ୟମରେ ତାର ଇଂଟରଭ୍ୟୁ ନିଆଯାଉଥିଲା । ହେଲେ ଚାକିରି ଦେବା ବଦଳରେ ନେଇଯାଉଥିଲେ ୫୦ରୁ ୬୦ ହଜାର ପର୍ଯ୍ୟନ୍ତ ଟଙ୍କା । ଟଙ୍କା ନେଣଦେଣ ପାଇଁ ବ୍ୟବହାର ହେଉଥିଲା ଜାଲ ଆକାଉଂଟ ଓ ପ୍ରି ଆକ୍ଟିଭେଟ୍ ସିମ୍ । ସେମାନଙ୍କୁ ମିଛ କହି ତାଙ୍କ ଡକ୍ୟୁମେଂଟ ନେଇ ପ୍ରସ୍ତୁତ ହେଉଥିଲା ବ୍ୟାଙ୍କରେ ଆକାଉଂଟ । ଯିଏ ଆକାଉଂଟ ଖୋଲିବାକୁ ରାଜି ହେଉଥିଲେ ସେମାନଙ୍କୁ ଦୁଇରୁ ତିନ ହଜାର ଟଙ୍କା ଦେଉଥିଲେ । ଟଙ୍କା ଲୋଭରେ ଲୋକେ ବ୍ୟାଙ୍କରେ ଆକାଉଂଟ ଖୋଲିବା ପାଇଁ ନିଜ ଡକ୍ୟୁମେଣ୍ଟ ଦେଉଥିଲେ ଏହି ଠକ । ପୋଲିସ ସେମାନଙ୍କଠାରୁ ୭ଟି ମୋବାଇଲ, ଲାପ୍ଟପ୍, ୧୨ଟି ଏଟିଏମ୍, ୪ଟି ବ୍ୟାଙ୍କ ଚେକ୍ ବୁକ୍ ଆଦି ଜବତ କରିଛି । ସେମାନେ କେତେ ଜଣଙ୍କୁ ଠକେଇ କରିଛନ୍ତି ଓ ଏହି ଠକେଇରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ସଂପର୍କରେ ଜାଣିବା ପାଇଁ ପୋଲିସ ସେମାନଙ୍କୁ ରିମାଣ୍ଡରେ ଆଣି ଜେରା କରିବ ।

ଏହି ତିନି ଜଣ ଠକ ଦିଲ୍ଳୀରେ ଏକାଠି ରହୁଥିଲେ । ଭିନ୍ନ ଭିନ୍ନ ଉପାୟରେ ବେକାର ଯୁବକ ଯୁବତୀଙ୍କଠାରୁ ଠକିବା ପାଇଁ ଯୋଜନା କରୁଥିଲେ । ସୁନ୍ଦରପଦା ହାଇଟେକ୍ ପ୍ଲାଜାରେ ଇଣ୍ଡିଆନ୍ କନ୍ସଲଟାନ୍ସି ନାମରେ ଏକ ସଂସ୍ଥା ଖୋଲିଥିଲେ । ବିଜ୍ଞାପନ ପଢି ବେକାର ଯୁବକଯୁବତୀମାନେ ଯୋଗାଯୋଗ କରିବା ପରେ ସେମାନଙ୍କୁ ଟାର୍ଗେଟ୍ କରୁଥିଲେ ।