୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛନ୍ତି ବିରୋଧୀ । ବିଜେପି ବିରୋଧରେ ବଡ ରଣନୀତି ପାଇଁ ଆହ୍ନାନ ଦେଲେ ବିହାର ମୁଖ୍ୟମନ୍ତ୍ରୀ

91

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ସଜାଗ ବିରୋଧୀ । ବିଜେପି ବିରୋଧୀ ବିହାର ମୁଖ୍ୟମନ୍ତ୍ରୀଙ୍କ ରଣହୁଙ୍କାର । ବିରୋଧୀ ଦଳମାନଙ୍କୁ ଏକାଠିି ହେବାକୁ ଦେଲେ ଆହ୍ୱାନ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଇବାକୁ ଚେଷ୍ଟା କରୁଛନ୍ତି ବିରୋଧୀ । ପଶ୍ଚିମବଙ୍ଗରୁ ନୂଆଦିଲ୍ଲୀରେ ପହଁଚ ମମତା ବାର୍ନାଜୀ କେତେବେଳେ ବିରୋଧୀ ନେତୃତ୍ୱଙ୍କ ସହ ବୈଠକ କରୁଛନ୍ତି ତ ପୁଣି କେତେବେଳେ ଦିଲ୍ଲୀ ଦରବାରରେ ବସୁଛି ଘନ ଘନ ବୈଠକ । କଳେ ବଳେ କୌଶଳେ ୨୦୨୪ ସାଧାରଣ ନିର୍ବାଚନରେ ଟିମ୍ ମୋଦିଙ୍କୁ କ୍ଲିନ ବୋଲ୍ଡ କରିବା ପାଇଁ ବିରୋଧୀ ଅଂଟା ଭିଡିଛନ୍ତି । ଏହା ଭିତରେ ବଳ ଯୋଗାଇଛି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନୂଆ ଆହ୍ୱାନ ।

ନୀତିଶ ବିରୋଧୀ ଦଳର ଏକତାକୁ ଅଧିକ ମଜବୁତ କରିବା ପାଇଁ ବାର୍ତା ଦେଇ କହିଛନ୍ତି ଯଦି ସବୁ ଦଳ ଏକାଠି ହେବେ ତେବେ ୨୦୨୪ ନିର୍ବାଚନରେ ବିଜେପି ସରକାରକୁ ହରାଇବା ସମ୍ଭବ ହେବ  । ଏଥିପାଇଁ ବିରୋଧୀ ଏକତା, ପ୍ରସ୍ତୁତି ଓ ରଣନୀତି ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ । ନୀତିଶଙ୍କ ଏହି ବୟାନ ପ୍ରଥମ ଥର ପାଇଁ ଶୁଣିବାକୁ ମିଳିନି ।ତେବେ ଉତରପ୍ରଦେଶ ଉପନିର୍ବାଚନରେ ଜେଡିୟୁ ଫେଲ ମାରିବା ପରେ ନୀତିଶ ଅଧିକ ଆକ୍ରାମକ ହୋଇପଡିଛନ୍ତି । ଏଥିସହ ନୀତିଶ କହିଛନ୍ତି କୌଣସି ପରିସ୍ଥିତିରେ ୨୦୨୪ ପାଇଁ ତୃତୀୟ ସାମୁଖ୍ୟ ହେବନି । ଆଗାମୀ ଦିନରେ ଯାହା ଗଠନ ହେବ ତାହା ମୁଖ୍ୟ ସାମୁଖ୍ୟ ଭାବେ ପରିଚୟ ପାଇବ । ବିଜେପିଠୁ ମେଂଟ ଭାଙ୍ଗି ଅଗଷ୍ଟମାସରେ ଜେଡିୟୁ ନୂଆ ସରକାର ଗଠନ କରିଥିଲା