ନିଠାରୀ ହତ୍ୟା ମାମଲା: ସୁରେନ୍ଦ୍ର କୋଲିକୁ ଫାଶୀ, ମନିନ୍ଦର ସିଂଙ୍କୁ ଆଜୀବନ ଜେଲ

323

କନକ ବ୍ୟୁରୋ : ନିଠାରୀ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ସିବିଆଇ କୋର୍ଟ । ସୁରେନ୍ଦ୍ର କୋଲିକୁ ମୃତ୍ୟୁଦଣ୍ଡ ମିଳିଥିବା ବେଳେ ମନିନ୍ଦର ସିଂ ପଣ୍ଢେରଙ୍କୁ ୭ ବର୍ଷର ସଜା ହୋଇଛି । ଆଇପିସିର ଧାରା ୩୦୨ରେ ସୁରେନ୍ଦ୍ରଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ବେଳେ ମନିନ୍ଦର ସିଂଙ୍କୁ ଅନୈତିକ ବ୍ୟାପାର ଅଧିନିୟମର ଧାରା ୫ ଅନୁଯାୟୀ ୭ ବର୍ଷର ସଜା ଶୁଣାଯାଇଛି । କୋର୍ଟ କୋଲିକୁ ୪୦ ହଜାର ଟଙ୍କା ଜରିମାନା ଲଗାଇଥିବା ବେଲେ ମନିନ୍ଦର ସିଂଙ୍କ ଉପରେ ୪ ହଜାରର ଅର୍ଥଦଣ୍ଡ ଲାଗିଛି । ଏହା ପୂର୍ବରୁ କୋର୍ଟ ମନିନ୍ଦରଙ୍କୁ ହତ୍ୟା, ଅପହରଣ ଓ ଦୁଷ୍କର୍ମ ଅଭିଯୋଗରୁ ମୁକ୍ତ କରିଥିଲେ ।

ନିଠାରୀ କାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କୁ ବର୍ତ୍ତମାନ ସୁଦ୍ଧା ୧୩ ମାମଲାରେ ମୃତ୍ୟୁଦଣ୍ଡ ହୋଇସାରିଛି । ତେବେ ୩ ମାମଲାରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ତାକୁ ଦୋଷ ମୁକ୍ତ କରାଯାଇଛି । ରାଷ୍ଟ୍ରପତିଙ୍କ ଦ୍ୱାରା ଗୋଟିଏ ମାମଲାରେ ରାଜକ୍ଷମା ଖାରଜ ହେବା ପରେ ସୁରେନ୍ଦ୍ରକୁ ମେରଠରେ ଫାଶୀ ଦିଆଯିବାର ଥିଲା । ତେବେ ସୁପ୍ରିମକୋର୍ଟ ସେତେବେଳେ ଏହା ଉପରେ ରୋକ ଲଗାଇଥିଲେ । ସେହିଭଳି ହାଇକୋର୍ଟ ଗୋଟିଏ ମାମଲାରେ ଫାଶୀ ଆଦେଶକୁ ବଦଳାଇ ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିଲେ । ସ୍ୱତନ୍ତ୍ର ସିବିଆଇ କୋର୍ଟ ଫାଶୀର ସଜା ଶୁଣାଇବା ପରେ କୋଲି ଏବଂ ପଣ୍ଢେରଙ୍କ ବିରୋଧରେ ଅଧିକାଂଶ ମାମଲା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ।

କ’ଣ ଥିଲା ପୂରା ଘଟଣାକ୍ରମ?

୨୦୦୬ ମସିହା ଡିସେମ୍ବର ୨୯ । ରାଜଧାନୀ ଦିଲ୍ଲୀ ନିକଟରେ ଥିବା ଗୌତମବୁଦ୍ଧ ନଗରର ନୋଏଡା ନିଠାରୀ ଗାଁରେ ଚାଞ୍ଚଲ୍ୟ ଖେଳିଥିଲା । କୋଠୀ ନଂ ଡି-୫ରେ ୧୯ଟି ଶିଶୁ ଏବଂ ମହିଳାଙ୍କ କଙ୍କାଳ ମିଳିଥିଲା । ଏହାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଏହି ଶବକୁ ୪୦ଟି ପ୍ୟାକେଟରେ ଭର୍ତ୍ତି କରି ନାଳରେ ଭସାଇ ଦିଆଯାଇଥିଲା । ପୋଲିସ ଏହି ମାମଲାରେ ସେତେବେଳେ କୋଟିପତି ବ୍ୟବସାୟୀ ମନିନ୍ଦର ସିଂ ପଣ୍ଢେର, ତାର ଚାକର ସୁରେନ୍ଦ୍ର କୋଲିଙ୍କୁ ଗିରଫ କରିଥିଲା । ପରେ ଏହି ମାମଲାର ତଦନ୍ତ ସିବିଆଇକୁ ଦିଆଯାଇଥିଲା ।