ଅନୁଭବ ମହାନ୍ତିଙ୍କ ନୂଆ ଭିଡିଓକୁ ନେଇ ଚର୍ଚ୍ଚା । କହିଲେ, ଜୀବନସାଥୀ ବାଛିବାରେ ହୋଇଗଲା ଭୁଲ

216

କନକ ବ୍ୟୁରୋ: ବିଜେଡି ସାଂସଦ ଅନୁଭବ ମହାନ୍ତି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଗତକାଲି ରାତିରେ ନିଜର ୟୁଟ୍ୟୁବ ଚ୍ୟାନେଲରେ ତାଙ୍କର ବ୍ୟକ୍ତିଗତ ଜୀବନର ସବୁଠାରୁ ବଡ ଦୁଃଖକୁ ନେଇ ଏକ ଭିଡିଓ ବନାଇଛନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଡକୁ ଇସାରା କରି ଅନୁଭବ କହିଛନ୍ତି, ଭଲ ପାଇ ସେ ଭୁଲ କରି ଦେଇଛନ୍ତି । କିନ୍ତୁ ସିଧାସଳଖ ତାଙ୍କର ନାଁ ନେଇ ନାହାନ୍ତି । ନିଜ ରାଜନୈତିକ କ୍ୟାରିଅରକୁ ନେଇ ମଧ୍ୟ ଆଶଙ୍କିତ ହୋଇପଡିଛନ୍ତି ଅନୁଭବ ।

ଭଲ ପାଇ ଭୁଲ ହୋଇଗଲା । ଫିଲ୍ମର ନାୟକ ଭାବେ ହୁଏତ ସେ ଏପରି ସଂଳାପ ଅନେକ ଥର କହିଥିବେ  । ହେଲେ ନିଜ ଜୀବନକୁ ନେଇ ଠିକ୍ ଏପରି କଥା କହିଛନ୍ତି ଓଲିଉଡ୍ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦ ଜାରି ଥିବା ବେଳେ ଅଧଘଣ୍ଟାର ଏକ ଭିଡିଓ ଜାରି କରି ନିଜ ପକ୍ଷ ରଖିବାକୁ ଚେଷ୍ଟା କରିଛନ୍ତି ଅନୁଭବ ମହାନ୍ତି ।

ଅନୁଭବ କହିଛନ୍ତି ଯେ, ଉଭୟଙ୍କ ଘରେ ବାହାଘର ପାଇଁ ରାଜି ନଥିଲେ । ତଥାପି ବାହାଘର ହୋଇଥିଲା  । ମହିଳା ବୋଲି ଯାହା କହିବେ ତାହା କ’ଣ ଠିକ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ତାଙ୍କୁ କୌଣସି ଏକ ବଡ ପାୱାର ତଳିତଳାନ୍ତ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ସାଂସଦ ।  ତେବେ ବର୍ଷାଙ୍କ ସହ ବିବାଦକୁ ନେଇ କୋର୍ଟରେ ଏବେ ମାମଲା ଚାଲିଛି ।  ଅନୁଭବ କହିଛନ୍ତି, ନ୍ୟାୟକୁ ଅପେକ୍ଷା ନ କରି ମୃତ୍ୟୁକୁ ବାଛିନେବା ଭଲ । କିନ୍ତୁ ସେ ଏମିତି କରିବେ ନାହିଁ  । ଏହି ଭିଡିଓ ପରେ ରାଜନୈତିକ ଭବିଷ୍ୟତ କଣ ହେବ ଜାଣିନି, କିନ୍ତୁ ଲଢେଇ ଜାରି ରହିବ ବୋଲି କହିଛନ୍ତି ଅନୁଭବ ମହାନ୍ତି ।