ତାତିରୁ ମିଳୁନି ତ୍ରାହି । ୪ ସହରର ତାପମାତ୍ରା ଟପିଲା ୪୪ ଡିଗ୍ରୀ । ୩୦ ତାରିଖ ଯାଏଁ ବିଭିନ୍ନ ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି

84

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । କିଛି ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଏପରି ସ୍ଥିତି ଆଉ ୪ ଦିନ ଜାରି ରହିବ ବୋଲି ସତର୍କ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଠାରୁ ତାତି ଆହୁରି ବଢ଼ିବ । ଆଗାମୀ ୨ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ଥିତି ସାଂଘାତିକ ହେବ ।
୨୭ ତାରିଖରେ ୧୧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
୨୮ ତାରିଖରେ ଆହୁରି ବଢ଼ିବ ତାତି
୧୮ ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ଲହରୀ

ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ହିଟ୍ ୱେଭ ମ୍ୟାପ ଉପରେ ନଜର ପକାନ୍ତୁ । ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ତାପମାତ୍ରା ।

ଆସନ୍ତାକାଲି ଅର୍ଥାତ୍ ୨୭ ତାରିଖ ପାଇଁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, ବୌଦ୍ଧ, ନୂଆପଡ଼ା ଆଦି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଉ ୧୭ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।

୨୮ ତାରିଖରେ ଆହୁରି ଅଧିକ ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏହି ଦିନ ୧୮ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, ବୌଦ୍ଧ, ନୂଆପଡ଼ା ସମେତ ସମ୍ବଲପୁର, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ଯାଜପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ବାକି ଜିଲ୍ଲାଗୁଡ଼ିକ ପାଇଁ ଜାରି କରାଯାଇଛି ଅରେଂଜ ୱାର୍ଣ୍ଣିଂ ।

ସେହିପରି ୨୯ ଓ ୩୦ ତାରିଖରେ ମଧ୍ୟ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ୮ଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, ବୌଦ୍ଧ, ନୂଆପଡ଼ା ଆଦି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ ।

ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବାହ ହେଉଥିବା ବେଳେ ରାଜ୍ୟରେ ଦୁଇ ସପ୍ତାହରୁ ଅଧିକ ଧରି ଉଷ୍ମ-ଆର୍ଦ୍ର ପାଣିପାଗ ସ୍ଥିତି ଜାରି ରହିଛି । ଏପ୍ରିଲ ମାସରେ ରେକର୍ଡ ଭାଙ୍ଗିଛି ଗ୍ରୀଷ୍ମ ପ୍ରବାହ ।