ଭାରତ ବିଶ୍ୱର ଦ୍ରୁତ ବିକାଶଶୀଳ ଅର୍ଥବ୍ୟବସ୍ଥା । ଅଭିବୃଦ୍ଧି ହାର ୬.୪ % ଅନୁମାନ: ସଂଯୁକ୍ତ ରାଷ୍ଟ୍ର

93

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ଭିତରେ ଯୁଦ୍ଧ ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରୁଛି । ସଂଯୁକ୍ତ ରାଷ୍ଟ୍ରର ଗୋଟିଏ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ସେହିଭଳି ଭାରତର ଅର୍ଥନୀତିରେ ଏହାର ପ୍ରଭାବ ପଡିଛି । ଗତବର୍ଷ ଭାରତର ଜିଡିପି ୮.୮ ଥିବା ବେଳେ ୨୦୨୨ରେ ଏହା ୬.୪ ପ୍ରତିଶତକୁ କମିବା ନେଇ ଅନୁମାନ କରାଯାଇଛି । ତେବେ ଏହା ପରେ ମଧ୍ୟ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ବିକାଶଶୀଳ ଅର୍ଥ ବ୍ୟବସ୍ଥା ।

ରିପୋର୍ଟରେ କୁହାଯାଇଛି ଉଚ୍ଚ ମୁଦ୍ରାସ୍ପିତି, ବଜାରର ସ୍ଥିତିରେ ଉନ୍ନତି, ବ୍ୟକ୍ତିଗତ ଉପଭୋଗ ଏବଂ ନିବେଶକୁ ପ୍ରଭାବିତ କରିଛି । ୟୁଏନର ଆର୍ଥିକ ଓ ସାମାଜିକ ବିଭାଗ ବୁଧବାର ବିଶ୍ୱ ଆର୍ଥିକ ସ୍ଥିତି ଓ ସମ୍ଭାବନା (ଡବ୍ଲୁଇଏସପି)ର ରିପୋର୍ଟ ଜାରି କରିଛି । ଏଥିରେ କୁହାଯାଇଛି, ବିଶ୍ୱର ଅର୍ଥ ବ୍ୟବସ୍ଥା ୨୦୨୨ରେ ୩.୦୧ ଦରରେ ବୃଦ୍ଧି ଘଟିବ । ଜାନୁଆରୀରେ ଜାରି ହୋଇଥିବା ପୂର୍ବାନୁମାନ ରିପୋର୍ଟରେ ଏହା ୪.୦ ପ୍ରତିଶତ ନେଇ ଅନୁମାନ କରାଯାଇଥିଲା । ବର୍ତ୍ତମାନ ତୁଳନାରେ ଏହା କମ । ୨୦୨୨ରେ ବିଶ୍ୱର ମୁଦ୍ରାସ୍ଫିତି ୬.୭ ପ୍ରତିଶତ ଦରରେ ବଢିବା ନେଇ ଅନୁମାନ କରାଯାଉଛି । ୨୦୧୦ରୁ ୨୦୨୦ରେ ବୃଦ୍ଧି ହାର ୨.୯ ତୁଳନାରେ ଏହା ଦୁଇ ଗୁଣ । ଖାଦ୍ୟ ପଦାର୍ଥ, ଉର୍ଜା ଦର ବୃଦ୍ଧି ହୋଇଚାଲିଛି ।

୨୦୨୩ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୬ ପ୍ରତିଶତ ଅନୁମାନ

ରିପୋର୍ଟରେ କୁହାଯାଇଛି, ଭାରତର ଅର୍ଥବ୍ୟବସ୍ଥା ୨୦୨୨ରେ ୬.୪ ପ୍ରତିଶତ ଦରରେ ବୃଦ୍ଧିର ଅନୁମାନ କରାଯାଉଛି । ୨୦୨୧ର ୮.୮ ପ୍ରତିଶତ ତୁଳନାରେ ଏହା ଯଥେଷ୍ଟ କମ । ତେବେ ଆର୍ଥିକ ବର୍ଷ ୨୦୨୩ରେ ଭାରତର ଅଭିବୃଦ୍ଧି ୬ ପ୍ରତିଶତ ନେଇ ଅନୁମାନ କରାଯାଉଛି ।

କୃଷି କ୍ଷେତ୍ର ପ୍ରଭାବିତ ହେବା ଆଶଙ୍କା 

ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ସାର ସମେତ ବିଭିନ୍ନ କୃଷିଜାତ ସାମଗ୍ରୀର ଦର ବୃଦ୍ଧି ଏବଂ ଏହାର ଅଭାବ କାରଣରୁ ବାଂଲାଦେଶ, ଭାରତ ପାକିସ୍ତାନ,ଶ୍ରୀଲଙ୍କାରେ କୃଷି କ୍ଷେତ୍ର ପ୍ରଭାବିତ ହେବ ।