ରାହୁଲ ଗାନ୍ଧୀ ଏକ କ୍ରାନ୍ତି, ସେ ସରକାର ହଲେଇଦେବେ । ଜେଲରୁ ବାହାରିବା ପରେ ବିଜେପି ଉପରେ ବର୍ଷିଲେ ସିଦ୍ଧୁ । କହିଲେ ଏମିତି କିଛି କଥା…

546

କନକ ବ୍ୟୁରୋ: କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ଶନିବାର ପଟିୟାଲା ସେଣ୍ଟ୍ରାଲ ଜେଲରୁ ବାହାରିଛନ୍ତି । ୧୯୮୮ ମସିହା ରୋଡ୍ ରେଜ୍ ମାମଲାରେ ତାଙ୍କୁ ଏକ ବର୍ଷ ପାଇଁ ସଜ୍ଜା ହୋଇଥିଲା । ତେବେ ଭଲ ବ୍ୟବହାର କାରଣରୁ ତାଙ୍କୁ ପ୍ରାୟ ୧୦ ମାସ ଭିତରେ ଜେଲରୁ ମୁକ୍ତି ମିଳିଛି । ଜେଲରୁ ମୁକୁଳିବା ପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ନେଇ ବିଜେପି ଉପରେ ଜୋରଦାର ଆକ୍ରମଣ କରିଛନ୍ତି ସିଦ୍ଦୁ ।

ନବଜୋତ୍ ସିଂହ ସିଦ୍ଧୁଙ୍କ କହିବା କଥା, ଏ ଦେଶରେ ଯେତେବେଳେ ବି ଏକଛତ୍ରବାଦ ଆସିଛି, ସେତେବେଳେ ଗୋଟିଏ କ୍ରାନ୍ତି ବି ଆସିଛି । ଏଥର ଏହି କ୍ରାନ୍ତିର ନାମ ହେଉଛି ରାହୁଲ ଗାନ୍ଧୀ । ସେ ଏ ସରକାରକୁ ହଲେଇଦେବେ ବୋଲି କହିଛନ୍ତି ନବଜୋତ୍ ସିଂହ ସିଦ୍ଧୁ । ତେବେ ଯୁକ୍ତି ଏବଂ ଅସହମତି ଲୋକତନ୍ତ୍ରର ସାର ଅଟେ । ବିଜେପି ନେତୃତ୍ୱାଧୀନ ସରକାର ଡରୁଛି ବୋଲି ମଧ୍ୟ ସେ କହିଛନ୍ତି ।

ପୂର୍ବତନ କ୍ରିକେଟର କହିଛନ୍ତି, ଲୋକତନ୍ତ୍ର ଭଳି ଜିନିଷ ଏବେ କିଛି ନାହିଁ । ପଞ୍ଜାବରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ଷଡଯନ୍ତ୍ର ହେଉଛି । ଅଳ୍ପସଂଖ୍ୟକଙ୍କୁ ଲଗାତାର ଟାର୍ଗେଟ କରାଯାଉଛି । ଏଥିସହ ସେ କହିଛନ୍ତି, ଯଦି ଆପଣ ପଞ୍ଜାବକୁ ଶକ୍ତିହୀନ କରିବାକୁ ଚେଷ୍ଟ କରିବେ, ତେବେ ଆପଣ ନିଜେ ଶକ୍ତିହୀନ ହେଇଯିବେ ବୋଲି ସିଦ୍ଦୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୧୯୮୮ ମସିହା ରୋଡ୍ ରେଜ୍ ମାମଲାରେ ୬୫ ବର୍ଷୀୟ ଗୁରୁନାମଙ୍କ ଦେହାନ୍ତ ହେଇଥିଲା । ସୁପ୍ରିମକୋର୍ଟ ଗତବର୍ଷ ଏହି ମାମଲାରେ ନବଜୋତ୍ ସିଂହ ସିଦ୍ଦୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତା ସହିତ ସିଦ୍ଦୁ ଏହି ମାମଲାରେ ଏକ ବର୍ଷ ଜେଲ ଦଣ୍ଡ ଭୋଗିଥିଲେ ।