ମହାରାଷ୍ଟ୍ର ରାଜନୀତିରେ କମ୍ପନ । ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶରଦ ପାୱାର । ୧ ଘଂଟାର ଆଲୋଚନା

633

କନକ ବ୍ୟୁରୋ : ଜାତୀୟ ରାଜନୀତିରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏନସିପି ନେତା ଶରଦ ପାୱାର । ଶରଦ ପାୱାର ଆଗାମୀ ରାଷ୍ଟ୍ରପତି ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଏଭଳି ଚର୍ଚ୍ଚାକୁ ଆଗକୁ ବଢାଇଛନ୍ତି । ସେ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଂଚି ପାଖା ପାଖି ୧ ଘଂଟା ଧରି ଆଲୋଚନା କରିଛନ୍ତି । ଏହା ପୂର୍ବରୁ ଗତକାଲି ସେ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ବି ଭେଟିଥିଲେ ।

ଅନ୍ୟପଟେ ସଦ୍ୟ ହୋଇଥିବା କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ସ୍ଥାନ ନମିିଳିବା ଓ ଶରଦ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମହାରାଷ୍ଟ୍ରରେ ସରକାର ଗଠନ ସମିକରଣ କୌଣସି ସମୟରେ ବଦଳିପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ କିଛିଦିନ ତଳେ ଶିବସେନାର ମୁଖପାତ୍ର ସଂଜୟ ରାୱତ କହିଥିଲେ କି ବିଜେପି ଅଛୁଆଁ ନୁହେଁ କି ବିଜେପି ସହିତ ଶିବସେନା ସଂପର୍କରେ ତିକ୍ତତା ନାହିଁ । ଯଦି ମହାରାଷ୍ଟ୍ରରେ ସରକାର ଭାଙ୍ଗି ଶିବସେନା ଓ ବିଜେପି ମିଳିତ ଭାବେ ସରକାର ଗଠନ କରନ୍ତି ତେବେ କଥା ସେହି ୫୦-୫୦ ରେ ଛିଡିବ ହେଲେ ବିଜେପିକୁ ମୁଖ୍ୟମନ୍ତ୍ରୀ ପଦ ଏବେ ମିଳିବ ନାହିଁ । ସେହିକଥା ଯଦି ଏନସିପି ଓ ବିଜେପି ମିଳିତ ଭାବେ ସରକାର ଗଠନ କରନ୍ତି ତେବେ ଦେବେନ୍ଦ୍ର ଫର୍ଡନଭିସ୍ ମୁଖ୍ୟମନ୍ତ୍ରୀ ହେବାରେ କିଛି ଅସୁବିଧା ନାହିଁ ।

ଅନ୍ୟପଟେ ଶରଦ ପାୱାର ରାଷ୍ଟ୍ରପତି ପଦ ମୋହରେ ଶିବସେନା ଓ କଂଗ୍ରେସ ସହିତ ଥିବା ମେଣ୍ଟରୁ ବାହାରି ଆସି ପାରନ୍ତି  । ଫଳରେ ଦଳ ବିଜେପି ସହିତ ରାଜ୍ୟରେ କ୍ଷମତାରେ ରହିବା ସହ ପାୱାରଙ୍କୁ ରାଷ୍ଟ୍ରପତି ପଦ ମିଳିଯିବାବି କିଛି ଅସମ୍ଭବ ନୁହେଁ ।