ନେଟୱାର୍କ ଯେଉଁଠି ପାଠପଢ଼ା ସେଇଠି : ଅନଲାଇନ ପାଠପଢ଼ା ପାଇଁ ନେଟୱାର୍କ ଖୋଜି ଖୋଜି ଓଡ଼ିଶା ସୀମା ଡେଉଁଛନ୍ତି ସୁନ୍ଦରଗଡ ରାଙ୍ଗାମାଟି ଗାଁର ଛାତ୍ରଛାତ୍ରୀ

84

କନକ ବ୍ୟୁରୋ : ଝାଡଖଣ୍ଡରେ ମୋବାଇଲ ନେଟୱାର୍କ ଖୋଜୁଛନ୍ତି ଓଡିଶା ପିଲା । କିଏ ପଂଚମ ତ ଆଉ କିଏ ସପ୍ତମ । ପ୍ରତିଦିନ ୮ରୁ ୧୦ ଜଣ ଛାତ୍ରଛାତ୍ରୀ ଲାଇନ୍ ହୋଇ ଚାଲିଚାଲି ଗାଁ ପାଖରେ ଥିବା ପାହାଡର ପିଚୁ ରାସ୍ତାରେ ପାଠ ପଢିବାକୁ କରୁଛନ୍ତି ସଂଘର୍ଷ । ଜଙ୍ଗଲିଆ ରାସ୍ତା ଦେଇ ନିଜ ଗାଁରୁ ୩ କିଲୋମିଟର ଅତିକ୍ରମ କଲାପରେ ଏମାନେ ଓଡିଶାର ସୀମା ଡେଇଁ ଝାଡଖଣ୍ଡକୁ ପ୍ରବେଶ କରନ୍ତି । ଆଉ ସେଠି ଖୋଜନ୍ତି ମୋବାଇଲ ନେଟୱାର୍କ । ଓଡିଶାର ସୀମା ଡେଇଁ ଝାଡଖଣ୍ଡରେ ପହଂଚିଲା ପରେ ସେହି ଜଙ୍ଗଲ ରାସ୍ତାରେ ହିଁ ପାଲ ପକାଇ ଆରମ୍ଭ ହୋଇଯାଏ ପାଠପଢା ।

ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ନୂଆଗାଁ ପଂଚାୟତର ରାଙ୍ଗାମାଟି ଗାଁର ଏହି ଛାତ୍ରଛାତ୍ରୀ । ଉପାନ୍ତ ଅଚଂଳ ହୋଇଥିଲେ ମଧ୍ୟ ରାସ୍ତାଠୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା ପହଞ୍ଚିଛି ଏହି ଗାଁକୁ । ହେଲେ ମୋବାଇଲ ନେଟୱାର୍କ ନାହିଁ । ଆଉ ଏହିଥିପାଇଁ ଲୋକ ଆଜି ବି ବାହାର ଦୁନିଆରୁ ବିଚ୍ଛିନ୍ନ ହୋଇ ରହିଛନ୍ତି । ଲକଡାଉନ ଘୋଷଣା ହେବା ପରେ ଏହି ଗାଁରୁ ବାହାରକୁ ଯାଇ ପାଠ ପଢୁଥିବା ଛାତ୍ରଛାତ୍ରୀ ସବୁ ଗାଁକୁ ଫେରି ଆସିଥିଲେ । ଏଠିକାର ଛାତ୍ରଛାତ୍ରୀ ଓଡ଼ିଶାରେ ପାଠ ପଢନ୍ତି ସତ, ହେଲେ ଅନଲାଇନ୍ ପାଠପଢା ହେବା ଦିନଠାରୁ ନେଟୱାର୍କ ଖୋଜିବାକୁ ସବୁଦିନେ ସୀମା ସେପାଖରେ ଥିବା ଝାଡ଼ଖଣ୍ଡର କାଦୋପାନୀ ଯିବାକୁ ବାଧ୍ୟ ହୁଅନ୍ତି । କାରଣ ସେଠାରେ ପାହାଡ଼ ଉପରେ ମୋବାଇଲ୍‌ ନେଟୱାର୍କ ଥାଏ । ଆଉ ଅନଲାଇନ ଶିକ୍ଷା ବ୍ୟବସ୍ଥା ଆରମ୍ଭ ହେବା ପରେ ଏହିଭଳି ପ୍ରତିଦିନ ସଂଘର୍ଷ କରିବାକୁ ପଡୁଛି ।