ବେଙ୍ଗାଲୁରୁରରେ ଏୟାରହଷ୍ଟେସଙ୍କ ରହସ୍ୟଜନକ ମୃତ୍ୟୁ: ପୁରୁଷ ବନ୍ଧୁ ଆଦିଶଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ

164

କନକ ବ୍ୟୁରୋ: ବେଙ୍ଗାଲୁରୁରରେ ଏୟାରହଷ୍ଟେସ୍ଙ୍କ ରହସ୍ୟଜନକ ମୃତ୍ୟୁ । ଏକ ଆପାର୍ଟମେଂଟ୍ର ୪ର୍ଥ ମହଲାରୁ ପଡି ୨୮ ବର୍ଷୀୟ ମଡେଲ ତଥା ଏୟାର ହଷ୍ଟେସ୍ ଅର୍ଚ୍ଚନା ଧିମାନଙ୍କ ମୃତ୍ୟୁ ହୋଇଛି । ଏକ ଅନ୍ତର୍ଜାତୀୟ ଏୟାରଲାଇନ୍ସ କମ୍ପାନୀରେ କାମ କରୁଥିବା ଅର୍ଚ୍ଚନାଙ୍କ ମୃତ୍ୟୁକୁ ନେଇ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମୃତ୍ୟୁ ପଛରେ ତାଙ୍କ ବୟଫ୍ରେଣ୍ଡଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

କର୍ଣ୍ଣାଟକର ବେଙ୍ଗାଲୁରୁରେ ୨୮ ବର୍ଷିୟା ଏୟାର ହଷ୍ଟେସ୍ ଅର୍ଚ୍ଚନା ଧିମାନଙ୍କ ମୃତ୍ୟୁରେ ନୂଆ ମୋଡ । ଘଟଣାରେ ଅର୍ଚ୍ଚନାଙ୍କ ପୁରୁଷ ବନ୍ଧୁ ଆଦିଶକୁ ଗିରଫ କରିଛି କର୍ଣ୍ଣାଟକ ପୋଲିସ । ଅର୍ଚ୍ଚନାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅର ମୃତ୍ୟୁ କୌଣସି ଦୁର୍ଘଟଣା ନୁହେଁ । ବରଂ ତାଙ୍କ ହତ୍ୟା କରାଯାଇଛି । ଅର୍ଚ୍ଚନାଙ୍କ ପୁରୁଷ ବନ୍ଧୁ ଆଦିଶ ହିଁ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏହାପରେ ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କେବଳ ସେତିକି ନୁହେଁ ଘଟଣାରେ ଆଦିଶକୁ ମଧ୍ୟ ଗିରଫ କରାଯାଇଛି ।

ଗତ ଶୁକ୍ରବାର ନିଜ ବୟଫ୍ରେଣ୍ଡକୁ ଭେଟିବାକୁ ବେଙ୍ଗାଲୁରୁ ଆସିଥିବା ଅର୍ଚ୍ଚନା ଧିମାନ, ବୟଫ୍ରେଣ୍ଡ ଆଦିଶଙ୍କ ଆପାର୍ଟମେଂଟ୍ ବାଲ୍କୋନୀରୁ ୪ର୍ଥ ମହଲାରୁ ଖସି ପଡିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଅର୍ଚ୍ଚନାଙ୍କ ମୃତ୍ୟୁ ହୋଇଥିଲା । ତେବେ କିଭଳି ଅର୍ଚ୍ଚନା ୪ର୍ଥ ମହଲାରୁ ଖସି ପଡିଲେ ଏହାକୁ ନେଇ ସନ୍ଦେହ ଲାଗି ରହିଛି ।

ବେଙ୍ଗାଲୁରୁ, କୋରମଙ୍ଗଲା ଅଂଚଳର ରେଣୁକା ରେସିଡେନ୍ସି । ହଠାତ୍ ଆପାର୍ଟମେଂଟ୍ର ୪ର୍ଥ ମହଲା ବାଲକୋନିରୁ ତଳକୁ ଖସି ପଡିଥିଲେ ଅର୍ଚ୍ଚନା । ବୟଫ୍ରେଣ୍ଡ ଆଦିଶଙ୍କ କହିବା କଥା ଅର୍ଚ୍ଚନାଙ୍କ ପାଦ ଖସି ପଡିଥିଲା ଆଉ ସେ ଗଳି ପଡିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଅର୍ଚ୍ଚନାଙ୍କ ମୃତ୍ୟୁ ହୋଇଥିଲା । ଅର୍ଚ୍ଚନାଙ୍କ ମୃତ୍ୟୁକୁ ନେଇ ପୂର୍ବରୁ ପୋଲିସ ସୂଚନା ଦେଇଥିଲା ଘରର ବାଲକୋନିରୁ ଖସି ପଡିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । କେବଳ ସେତିକି ନୁହେଁ ସେହି ସମୟରେ ଉଭୟ ଅର୍ଚ୍ଚନା ଓ ଆଦିଶ ମଦ୍ୟପାନ କରିଥିବା ପୋଲିସ ସୂଚନା ଦେଇଥିଲା । ମାତ୍ର ପରିବାର ଲୋକଙ୍କ ଅଭିଯୋଦଗ ପରେ ଏବେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ସୂଚନା ଅନୁସାରେ –

ରହସ୍ୟରେ ଅର୍ଚ୍ଚନାଙ୍କ ମୃତ୍ୟୁ
– ଅର୍ଚ୍ଚନା ବୟଫ୍ରେଣ୍ଡ ଆଦିଶଙ୍କୁ ଭେଟିବାକୁ ବେଙ୍ଗାଲୁରୁ ଆସିଥିଲେ
– ଆଦିଶଙ୍କ ସହ ସମୟ ବିତାଇବାକୁ ଦୁବାଇରୁ ଆସିଥିଲେ ଅର୍ଚ୍ଚନା
– ଆଦେଶଙ୍କ କୋରମଙ୍ଗଲା ସ୍ଥିତ ଆପାର୍ଟମେଂଟ୍ରେ ରହିଥିଲେ
– ଶୁକ୍ରବାର ରାତିରେ ଦୁହେଁ ମଦ୍ୟପାନ କରିଥିଲେ
– ଗତ ୬ ମାସ ଧରି ସମ୍ପର୍କରେ ଥିଲେ ଆଦିଶ ଓ ଅର୍ଚ୍ଚନା
– ଆଦିଶ ଜଣେ ସଫ୍ଟୱେୟାର ଇଂଜିନିୟର

ଅନ୍ତର୍ଜାତୀୟ ଏୟାରଲାଇନ୍ସରେ କାମ କରୁଥିବା ଅର୍ଚ୍ଚନାଙ୍କ ଏଭଳି ମୃତ୍ୟୁକୁ ଗ୍ରହଣ କରି ପାରି ନାହାଁନ୍ତି ପରିବାର ଲୋକେ । ସେମାନେ ଅଭିଯୋଗ କରିଛନ୍ତି ତାଙ୍କ ଝିଅକୁ ହତ୍ୟା କରିଦିଆଯାଇଛି । ଆଦିଶ ହିଁ ଅର୍ଚ୍ଚନାଙ୍କୁ ବାଲକୋନିରୁ ଠେଲି ଦେଇଥିବା ଅର୍ଚ୍ଚନାଙ୍କ ମାଆ ଅଭିଯୋଗ କରିଛନ୍ତି ।

ଅର୍ଚ୍ଚନା ଧିମାନ ହିମାଚଳ ପ୍ରଦେଶର ବାସିନ୍ଦା ଥିଲେ । ଦେଖିବାକୁ ବେଶ ସୁନ୍ଦର ଓ ଜଣେ ଉଚ୍ଚାଭିଳାଷି ମହିଳା ଥିଲେ । ଆକ୍ଟିଂ ପ୍ରତି ତାଙ୍କର ରୁଚି ରହିଥିଲା । ଏୟାରଲାଇନ୍ସରେ ଜଣେ ଏୟାର ହଷ୍ଟେସ୍ ଭାବେ କାମ କରୁଥିଲେ । ଏହାସହ ପାର୍ଟ ଟାଇମ୍ ମଡେଲିଂ ମଧ୍ୟ କରୁଥିଲେ । କେବଳ ସେତିକି ନୁହେଁ ୟୁଟୁବ୍ରେ ତାଙ୍କର ଅନେକ ଅଡିସନ୍ ଭିଡିଓ ମଧ୍ୟ ରହିଛି । ତେବେ ଅର୍ଚ୍ଚନାଙ୍କ ଏଭଳି ମୃତ୍ୟୁ ହୋଇଯିବ ବୋଲି ତାଙ୍କ ପରିବାର ଲୋକେ ଗ୍ରହଣ କରିପାରୁ ନାହାଁନ୍ତି ।