ଆଦାନୀ ପ୍ରସଙ୍ଗରେ ପୁଣି ସରକାରଙ୍କୁ ଘେରିଲେ ବିରୋଧୀ: ଜେପିସି ତଦନ୍ତ ଦାବିରେ ଜିଦରେ ଅଟଳ ବିରୋଧୀ

192

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ଆଦାନୀ ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିଛନ୍ତି ବିରୋଧୀ । ବିରୋଧୀ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଲଗାତର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଆସୁଛନ୍ତି । ବିରୋଧକୁ ଜୋରଦାର କରିବା ପାଇଁ କଂଗ୍ରେସ ଆଂଚଳିକ ଦଳଗୁଡ଼ିକୁ ଡାକରା ଦେଇଥିଲା । କିନ୍ତୁ ବିରୋଧୀ ଏକଜୁଟ ହେବା ବଦଳରେ ଅଲଗା ଅଲଗା ହୋଇ ବିରୋଧ ପ୍ରଦର୍ଶନ କରୁଛନ୍ତି । କଂଗ୍ରେସ ଉଭୟ ପାର୍ଲାମେଂଟ ଭିତରେ ଓ ବାହାରେ ପ୍ରଦର୍ଶନ କରିଥିବା ବେଳେ ଟିଏମସି ଓ ଆମ୍ ଆଦମୀ ପାର୍ଟି ଅଲଗା ଅଲଗା ବିରୋଧ ପ୍ରଦର୍ଶନ କରୁଛନ୍ତି ।

ଗୋଟିଏ ପଟେ କଂଗ୍ରେସ ସାଂସଦଙ୍କ ବିରୋଧ ପ୍ରଦର୍ଶନ । ଦ୍ୱିତୀୟରେ ତୃଣମୂଳ କଂଗ୍ରେସ ପାର୍ଟି ଏବଂ ତୃତୀୟରେ ଆମ୍ ଆଦମୀ ପାର୍ଟି ସହ ବିଆରଏସର ସାଂସଦ । ତିନୋଟି ଚିତ୍ରରେ ପ୍ରସଙ୍ଗ ଗୋଟିଏ । ଆଦାମୀ ମାମଲାରେ ଜେପିସି ଦାବି ଏବଂ କେନ୍ଦ୍ର ସରକାର ଉପରେ ହଲ୍ଲାବୋଲ । କଂଗ୍ରେସ ସାଂସଦମାନେ ଗୃହ ବାହାରେ ପୋଷ୍ଟର ଓ ବ୍ୟାନର ଧରି ସରକାର ବିରୋଧରେ ନାରାବାଜି ଦେଇଥିଲେ । ଆଉ ଆଦାମୀ ମାମଲାରେ ଜେପିସି ଦାବିକୁ ନେଇ କେନ୍ଦ୍ରକୁ ଘେରିଛନ୍ତି ।

ସେପଟେ ଆମ୍ ଆଦମୀ ପାର୍ଟି ଓ ଭାରତୀୟ ରାଷ୍ଟ୍ରୀୟ ସମିତିର ସାଂସଦମାନେ ପ୍ରଥମେ ଗୃହ ବାହାରେ ନାରାବାଜି ଦେଇଥିଲେ । ପରେ ଗାନ୍ଧୀ ମୂର୍ତି ତଳେ ପହଂଚିଥିଲେ । ସେଠାରେ ଉଭୟ ଦଳର ସାଂସଦମାନେ ମୋଦୀ ସରକାର ବିରୋଧରେ ପ୍ରତିବାଦ କରିବା ସହ ଆଦାନୀ ମାମଲାରେ ଜେପିସି ଦାବି କରିଥିଲେ ।

ସେପଟେ ଟିଏମସି ମନସ୍ଥ କରିନେଇଛି ଯେ ଦଳ କଂଗ୍ରେସ ସହ କୌଣସି ପ୍ରସଙ୍ଗରେ ସାଥ ଦେବ ନାହିଁ । ଏଥିପାଇଁ ମମତାଙ୍କ ଦଳ ସହ ଦୂରେଇ ରହି ଅଲଗା ପ୍ରଦର୍ଶନ କରିବାକୁ ନିଷ୍ପତି ନେଇଛନ୍ତି । ଟିଏମସି ସାଂସଦମାନେ ଗାନ୍ଧୀ ମୂର୍ତି ତଳେ ଏକତ୍ରିତ ହୋଇ କେନ୍ଦ୍ର ସରକାର ଉପରେ ଜୋରଦାର ପ୍ରତିବାଦ କରିଛନ୍ତି ।

ମଙ୍ଗଳବାର ସଂସଦ ଭବନରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ଚାମ୍ବରରେ ବିରୋଧୀ ଦଳ ନେତାଙ୍କ ବୈଠକରେ ୧୭ ଦଳ ଭାଗ ନେଇଥିଲେ । ଏଥିରେ କଂଗ୍ରେସ, ଡିଏମକେ, ସିପିଏମ୍, ଜେଡିୟୁ, ଆରଜେଡି, ଏନସିପି, ଏସପି, ଜେଡିୟୁ, ଉଦ୍ଧବ ଠାକରେ ଗୋଷ୍ଠୀ, ଏଏପି, ସିପିଆଇ, ଜେଏମଏମ୍, ଆଇୟୁଏମଏଲ, ଏମଡିଏମକେ, ଏନସି, ବିସିକେ, କେସି ଦଳର ସାଂସଦମାନେ ଭାଗ ନେଇଥିଲେ । କିନ୍ତୁ ଏଥିରେ ଟିଏମସି ସାଂସଦ ଓ ଆପ୍ ଓ ବିଆରଏସ ସାଂସଦ ଅନୁପସ୍ଥିତ ଥିଲେ । ଗୋଟିଏ ପ୍ରସଙ୍ଗକୁ ନେଇ ତିନି ବିରୋଧୀ ଦଳଙ୍କ ଅଲଗା ଅଲଗା ପ୍ରଦର୍ଶନ ଅନେକ ପ୍ରଶ୍ନ ଉଠାଉଛି । ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ ବିରୋଧୀଙ୍କ ଏକଜୁଟ୍ ହେବାରେ କେତେ ଦମ୍ ଅଛି ।