ସମୁଦ୍ରରେ ଲୀନ ହୋଇଯିବ ସ୍ୱର୍ଗଦ୍ୱାର! ବୁଡ଼ିଯିବ ଗାଁ, ନିଶ୍ଚିହ୍ନ ହୋଇଯିବ ଚିଲିକା!

1,980

କନକ ବ୍ୟୁରୋ: ସମୁଦ୍ର ଯେଉଁ ଭଳି ଢଙ୍ଗରେ ଉପକୂଳକୁ ମାଡ଼ି ଆସୁଛି, ଏହି ଧାରା ବଜୟ ରହିଲେ, ସମୁଦ୍ରରେ ଲୀନ ହୋଇଯିବ ପୁରୀ ସ୍ୱର୍ଗଦ୍ୱାର । ପୁରୀ ସହରର ସମୁଦ୍ରକୂଳରେ ଗଢ଼ି ଉଠୁଥିବା ମାଳ ମାଳ ହୋଟେଲ ସମେତ ସ୍ୱର୍ଗଦ୍ୱାରକୁ ସମୁଦ୍ରର ଆଁରୁ ରକ୍ଷା କରିବା ଏକ ଆହ୍ୱାନ ହୋଇଯିବ । ୨୦୫୦ ସୁଦ୍ଧା ଏଭିଳି କିଛି ସଂକଟ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ଭାରତ ସମେତ ଅନ୍ୟାନ୍ୟ ଦେଶରୁ ସାମିଲ ଥିବା ଏକ ଗବେଷକ ଦଳ । ନେଦରଲାଣ୍ଡର ପ୍ରତିଷ୍ଠିତ ଜର୍ଣ୍ଣାଲ-ସାଇନ୍ସ ଅଫ୍ ଦି ଟୋଟାଲ ଏନ୍ଭାଇରନମେଂଟରେ ଏହି ବିଷୟରେ ଏକ ଆଲେଖ୍ୟ ପ୍ରକାଶ ପାଇଛି ।
ଏହି ରିପୋର୍ଟ ଅନୁସାରେ-

– ୨୦୫୦ ସୁଦ୍ଧା ଓଡ଼ିଶାର ୪୮୦ କିମି ଉପକୂଳରୁ ୪୫% ଅବକ୍ଷୟ ହେବ
– ଓଡ଼ିଶାର ପ୍ରାୟ ୨୦୦ କିମି ସମୁଦ୍ର ଉପକୂଳ ଅବକ୍ଷୟ ମୁହାଁ ହେଉଛି
– ୩୦ବର୍ଷରେ ଅସ୍ତିତ୍ୱ ହରାଇବ ଚିଲିକା
– ସାତଭାୟା ଭଳି ଅନେକ ଗାଁ ଜନଶୂନ୍ୟ ହେବାର ଆଶଙ୍କା ରହିଛି
– ଚାନ୍ଦିପୁରରୁ ସୁବର୍ଣ୍ଣରେଖା ମୁହାଣ ପର୍ଯ୍ୟନ୍ତ ଅବକ୍ଷୟ ଆରମ୍ଭ ହୋଇସାରିଛି
– ଚିଲିକାରେ ସମୁଦ୍ର ମୁହାଣ ପୋତି ହୋଇଯାଉଛି ।
– ଚିଲିକା କ୍ରମେ ପଶ୍ଚିମ ଦିଗକୁ ଘୁଂଚି ଯାଉଛି

ବର୍ତମାନ ମଧ୍ୟ ଅନେକ ସ୍ଥାନରେ ଅବକ୍ଷୟ ଜାରି ରହିଥିବା ନେଦରଲାଣ୍ଡର ଏହି ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଯାହାକୁ ନେଇ ଅବକ୍ଷୟର ଏକ ହଟସ୍ପଟ୍ ଚିହ୍ନଟ କରାଯାଇଛି । କେନ୍ଦ୍ରାପଡ଼ାର ସାତଭାୟାରୁ ପେଣ୍ଠ ମଧ୍ୟରେ ସର୍ବାଧିକ ଅବକ୍ଷୟ ହୋଇଛି । ଗଞ୍ଜାମର ବକ୍ସିପାଲିରୁ ପୋଡ଼ମପେଟା ମଧ୍ୟ ଅବକ୍ଷୟର ହଟସ୍ପଟ୍ ପାଲଟିଛି । ପୁରୀର ବଳିଆପଣ୍ଡା ସମୁଦ୍ର ଉପକୂଳରେ ୬୭ ମିଟର ଅବକ୍ଷୟ ହୋଇଛି । ତେବେ ଆଗକୁ ଅବକ୍ଷୟର ମାତ୍ରା ବଢ଼ିବାର ଆଶଙ୍କା କରାଯାଇଛି ।