ଗୋଟିଏ ପଟେ ମହାମାରୀ, ଅନ୍ୟପଟେ ମହଙ୍ଗା ମାଡ଼ । ଏହାରି ଭିତରେ ସନ୍ତୁଳି ହେଉଛି ମଧ୍ୟବିତ୍ତ ।

କରୋନା କଟକଣା ଯୋଗୁଁ ବ୍ୟବସାୟ ବନ୍ଦ, ଚାକିରିଆଙ୍କ କଟୁଛି ଦରମା

206

କନକ ବ୍ୟୁରୋ: ନାଗଫାଶରେ ଫସି ଯାଇଛନ୍ତି ମଧ୍ୟବିତ୍ତ । ମହଙ୍ଗା ମାଡରେ ଭାଙ୍ଗି ଯାଇଛି ମଧ୍ୟବିତ୍ତ ମେରୁଦଣ୍ଡ । କରୋନା କଟକଣା ଓ ଭୂତାଣୁର ଭିଡ ଭିତରେ ଭୁଷୁଡି ଯାଇଛି ସେମାନଙ୍କ ଆର୍ଥିକ ସ୍ଥିତି । ରୋଜାଗର ସିନା ଠପ୍ ହୋଇଯାଇଛି, କିନ୍ତୁ ଖର୍ଚ୍ଚ ବଢିଛି । ରୋଷେଇ ଗ୍ୟାସ ଠାରୁ ଆରମ୍ଭ କରି ଖାଇବା ତେଲ, ସବୁ ଦର ବଢିଛି । ଏହାରି ଭିତରେ ମଧ୍ୟବିତ୍ତ ମଣିଷ ଟିଏ ଖାଇବ କଣ, ପିଲାର ପଢା ଖର୍ଚ୍ଚ ତୁଲାଇବ କେମିତି ତାକୁ ନେଇ ଚିନ୍ତାରେ ପଡିଛି । ଯାହାର ଚିତ୍ର ଏବେ ସାରା ରାଜ୍ୟରୁ ଆସିଛି…

ଭୁବନେଶ୍ୱରର ଜିତେନ୍ଦ୍ର କୁମାର ଦାସ ଜୟଦେବ ବିହାରରେ ଥିବା ଏକ କୋରିୟର କମ୍ପାନୀରେ କାମ କରନ୍ତି । କରୋନା ପୂର୍ବରୁ ସବୁ କିଛି ଠିକ ଠାକ୍ ଥିଲା । ଏବେ ନା ସେ ଦେଇ ପାରୁଛନ୍ତି କାର ଇଏମଆଇ, ନା ଦେଇ ପାରୁଛନ୍ତି ପୁଅର ସ୍କୁଲ ଫି’ । ଭୁବନେଶ୍ୱରରେ ଯେଉଁ ଅବସ୍ଥା ସମ୍ବଲପୁରରେ ବି ସେହି ଅବସ୍ଥା । କରୋନା କଟକଣା ଯୋଗୁଁ ଧିମେଇ ଯାଇଛି ବେପାର । ତେଜରାତି ଦୋକାନ କରିଥିବା ସୁବାସ ସାହୁ ଓ ତାଙ୍କ ପତ୍ନୀ, ଏବେ କିପରି ପରିବାର ଚଳାଇବେ ଏହି ଚିନ୍ତା ସେମାନଙ୍କୁ ଘାରିଛି । ରନ୍ଧନ ଗ୍ୟାସ ଠାରୁ ଆରମ୍ଭ କରି ପେଟ୍ରୋଲ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।

  • କରୋନା କାଳରେ ବଢୁଛି ମଧ୍ୟବିତ୍ତଙ୍କ ଦୁଃଖ
  • ରୋଜଗାର କମୁଛି, ଖର୍ଚ୍ଚ ବଢ଼ୁଛି
  • ପେଟ୍ରୋଲ ଲିଟର ଶହେ, ଗ୍ରୋସରି ପ୍ରାୟ ୪୦% ମହଙ୍ଗା
  • ମଧ୍ୟବିତ୍ତଙ୍କ ଉପରେ ପଡ଼ିଛି ମହଙ୍ଗା ମାଡ଼

ଖାଇବା ତେଲ ଦର ପ୍ରାୟ ୫୦ ପ୍ରତିଶତ ବଢ଼ିଯାଇଥିବା ବେଳେ ପେଟ୍ରୋଲ ଲିଟର ଦାମ ଶହେ ଉପରେ । ମଧ୍ୟବିତ ପରିବାରର ଗୃହିଣୀ, ରୋଷେଇ କରୁଥିବା ବେଳେ ଚିନ୍ତାରେ ପଡିଯାଉଛି । ମହାଙ୍ଗା କାଳରେ କିପରି ପରିବାର ଚଳାଇବେ ଚିନ୍ତାରେ ପଡିଛନ୍ତି କଟକ ଛତ୍ରବଜାର ଅଂଚଳରେ ରହୁଥିବା ବିଭୂତି ରଣା ଓ ତାଙ୍କ ପତ୍ନୀ । ଘରୋଇ କଂପାନୀରେ ଚାକିରି କରୁଥିବା ବିଭୂତିଙ୍କ ଦରମା କଟୁଥିବାରୁ ବାଇକ ବଦଳରେ ସାଇକେଲରେ ଯିବାଆସିବା କରୁଛନ୍ତି ।

ଅନ୍ୟପଟେ ଲାଲମୋହନ ପଟ୍ଟନାୟକ ମାଲକାନଗିରି ଡିଏନକେ ଛକରେ ଏକ ଖେଳନା ଦୋକାନ କରି ପରିବାର ପୋଷନ୍ତି । ଘରେ ସ୍ତ୍ରୀ, ଗୋଟିଏ ପୁଅ ସହ ବୁଢା ମାଁଙ୍କୁ ନେଇ ୪ ପ୍ରାଣୀ କୁଟୁମ୍ବ । ଯାହା କଣ୍ଡେଇ ଦୋକାନରୁ ମିଳୁଥିଲା, ସେଥିରୁ କଷ୍ଟେ ମଷ୍ଟେ ପରିବାର ଚଳୁଥିଲା । କରୋନା କଟକଣା ଯୋଗୁଁ ଦୋକାନରେ ତାଲା ପଡିବା ପରେ ଜୀବନ ସଂଘର୍ଷ କରୁଛନ୍ତି ଲାଲମୋହନ । ନା ବ୍ୟାଙ୍କ ରୁଣ ସୁଝି ପାରୁଛନ୍ତି, ନା ବୁଢ଼ି ମାଆ ପାଇଁ ଔଷଧ କିଣି ପାରୁଛନ୍ତି ।

ଗୋଟିଏ ପଟେ ମହାମାରୀ, ଅନ୍ୟପଟେ ମହଙ୍ଗା ମାଡ଼ । ଆଉ ଏହାରି ଭିତରେ ସନ୍ତୁଳି ହୋଇଯାଉଛି ମଧ୍ୟବିତ୍ତଙ୍କ ଜୀବନ । କରୋନା କଟକଣା ଯୋଗୁଁ ବ୍ୟବସାୟ ବନ୍ଦ, ଘରୋଇ କଂପାନିରେ ଦରମା କାଟ ଭିତରେ ଆକାଶ ଛୁଆଁ ହୋଇଛି ବଜାର ଦର । କିପରି ପରିବାର ଚଳାଇବ, ଏହି ଚିନ୍ତାରେ ପଡିଛି ମଧ୍ୟବିତ ପରିବାର ।