କରୋନା ବଦଳାଇ ଦେଲା ପେଷା । ଯାତ୍ରା ଜଗତର ମହାବଳ ସଂଜୟ ଭୋଳଙ୍କ ଜୀବନ-ଜୀବିକାର ମାଧ୍ୟମ ପାଲଟିଛି ଏବେ ହୋଟେଲ ବ୍ୟବସାୟ ।

4,070

କନକ ବ୍ୟୁରୋ: କରୋନା ଯୋଗୁଁ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ଯାତ୍ରା କଳାକାର । କେବଳ ଛୋଟ ଛୋଟ କଳାକାର ନୁହଁନ୍ତି ଯାତ୍ରା ଜଗତର ନାଁ କରା କଳାକାରଙ୍କ ରୋଜଗାର ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି । ଦୀର୍ଘ ଦିନ ହେବ ଯାତ୍ରା ବନ୍ଦ ରହିବାରୁ କେହି କେହି ରୋଜଗାର ପାଇଁ ବିକଳ୍ପ ବାଟ ବାଛିଛନ୍ତି । ସେହିପରି ଚର୍ଚ୍ଚିତ ଖଳନାୟକ ସଞ୍ଜୟ ଭୋଳ, କଳାକାରରୁ ପାଲଟି ଯାଇଛନ୍ତି, ହୋଟେଲ ବ୍ୟବସାୟୀ । ହେଲେ, କଟକଣା ଯୋଗୁଁ ବ୍ୟବସାୟ ମାନ୍ଦା । ଷ୍ଟାଫ୍ ପେମେଂଟ ଏବଂ ମେଣ୍ଟେନାନ୍ସ କରିବା ତାଙ୍କ ପାଇଁ କଷ୍ଟକର ହୋଇ ପଡିଛି ।

ସଂଳାପ, ସ୍ୱର, ଅଭିନୟ ସବୁଥିରେ ସଞ୍ଜୟ ଭୋଳଙ୍କ ପ୍ରଦର୍ଶନ ଥିଲା ଉଚ୍ଚକୋଟିର । ମଞ୍ଚରେ ଯାହାଙ୍କୁ ଦେଖିବା ପାଇଁ ଦର୍ଶକ, ଲାଇନ୍ରେ ଲାଗି ଟିକେଟ୍ କାଟନ୍ତି । ସେହି କଳାକାର ଥିଲେ ସଂଜୟ ଭୋଳ, ଯାତ୍ରା ଜଗତ ମହାବଳ । ହେଲେ ଏତେ ବଡ଼ କଳାକାରଙ୍କ କାହାଣୀ କିନ୍ତୁ ପୁରା ବଦଳାଇ ଦେଇଛି ମହାମାରୀ । ମଂଚର ଯାତ୍ରା ଓ ଜୀବନର ନାଟକ ଭିତରେ ସଂଜୟ ଭୋଳ, ଏବେ ଜୀବନ-ଜୀବିକା ପାଇଁ ବାଛି ନେଇଛନ୍ତି ଏକ ବିକଳ୍ପ ବାଟ । ଚର୍ଚ୍ଚିତ ଅଭିନେତାରୁ ପାଲଟି ଯାଇଛନ୍ତି ହୋଟେଲ ବ୍ୟବସାୟୀ

ବାଲେଶ୍ୱର ଖନ୍ତାପଡ଼ାରେ ଏକ ହୋଟେଲ କରିଛନ୍ତି ସଂଜୟ ଭୋଳ । ହେଲେ କରୋନା କଟକଣା ଯୋଗୁଁ ହୋଟେଲ ବ୍ୟବସାୟ ବି ପ୍ରଭାବିତ ହୋଇଛି । ହୋଟେଲରେ ବସି ଖାଇବା ଉପରେ କଟକଣା ଥିବା ବେଳେ କେବଳ ପାର୍ସଲ ସୁବିଧା ରହିଛି । ଏଭଳି ସ୍ଥିତିରେ ଷ୍ଟାଫ୍ ପେମେଣ୍ଟ ଏବଂ ମେଣ୍ଟେନାନ୍ସ ଭିତରେ ଲାଭ ଆଶା କରିବା ବହୁତ କଷ୍ଟ ହୋଇପଡିଛି । ସଂଜୟ ଭୋଳଙ୍କ ଭଳି ଏତେ ଲୋକପ୍ରିୟ କଳାକାରଙ୍କ ଯଦି ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଛୋଟ ଛୋଟ ଭୂମିକାରେ ଆସୁଥିବା ପାଶ୍ୱର୍ ଅଭିନେତା ଓ ଅଭିନେତ୍ରୀଙ୍କ ଅବସ୍ଥା କ’ଣ ହେଉଥିବ ଯେ କେହି ବି ଆକଳନ କରିପାରିବେ ।