ସତ ହୋଇଥିଲେ ସାଂଘାତିକ । ଚିକିତ୍ସା ଅବହେଳାରୁ ଆଖି ବୁଜିଲେ ରୋଗୀ । ବାହାଘରର ୧୨ ଦିନ ପରେ ପତ୍ନୀଙ୍କୁ ହରାଇଲେ ଅଜିତ୍ ।

3,080

କନକ ବ୍ୟୁରୋ: କରୋନା କାଳରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଭୁରିଭୁରି ପ୍ରଶଂସା କରାଯାଉଛି । ହେଲେ, କେତେକ ସ୍ଥାନରୁ ଚିକିତ୍ସା ଅବହେଳା ନେଇ ଡାକ୍ତରଙ୍କ ବିରୋଧରେ ଆସୁଥିବା ଅଭିଯୋଗ ଏହି ପ୍ରଂଶସା ଉପରେ ଏକ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲରୁ ସେହିପରି ଏକ ଅଭିଯୋଗ ଆସିଛି । ଭୁଲ ଚିକିତ୍ସା ପାଇଁ ବାହାଘରର ମାତ୍ର ୧୨ ଦିନ ପରେ ନବବଧୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ ।

ମାତ୍ର ୧୨ଦିନ ତଳେ କନିଆ ବେଶରେ ସଜେଇ ହୋଇ , ହାତରେ ମେହେନ୍ଦି ଲଗାଇ, ମୁଣ୍ଡରେ ବାହା ମୁକୁଟ ପିନ୍ଧି, ବେଦୀରେ ବସି ବରମୁଣ୍ଡା ଅଂଚଳର ଅଜିତ୍ କୁମାର ରଣସିଂଙ୍କୁ ବିବାହ କରିଥିଲେ ପ୍ରିୟଙ୍କା ପଟ୍ଟନାୟକ । କରୋନା ଯୋଗୁଁ କଟକଣା ଭିତରେ ଅଳ୍ପ କିଛ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପର୍ନ୍ନ ହୋଇଥିଲା । ବେଶ୍ ହସଖୁସିରେ ନୂଆ ଜୀବନ ଆରମ୍ଭ କରିଥିଲେ ପ୍ରିୟଙ୍କା । ହେଲେ, ତାଙ୍କ ହାତରୁ ମେହେନ୍ଦି ଲିଭିବା ଆଗରୁ ଲିଭି ଯାଇଛି ତାଙ୍କ ଜୀବନ ଦୀପ । ତେବେ ଭୁଲ ଚିକିତ୍ସା ପାଇଁ ପ୍ରିୟଙ୍କାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ସମ୍ପର୍କୀୟ ।

ନବବିବାହିତା ପତ୍ନୀର ମୃତ୍ୟୁ ପରେ ନିଜର କୋହକୁ ସମ୍ଭାଳି ପାରିନାହାଁନ୍ତି ତାଙ୍କ ସ୍ୱାମୀ । ଭୁଲ ଚିକିତ୍ସା ଯୋଗୁଁ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । କେବଳ ମୃତ ମହିଳାଙ୍କ ସ୍ୱାମୀ ନୁହଁନ୍ତି ତାଙ୍କ ଭାଇ ଓ ଅନ୍ୟ ସମ୍ପର୍କୀୟ ମାନେ ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲ ବିରୋଧରେ ଆଣିଛନ୍ତି ସମାନ ଅଭିଯୋଗ । ଏପରିକି ମୃତ୍ୟୁର କାରଣ ନେଇ ପଚାରିବାରୁ ମୃତ ମହିଳାଙ୍କ ଭାଇଙ୍କୁ ହସ୍ପିଟାଲର ସିକ୍ୟୁରିଟି ଅଫିସର ମାଡ ମାରିଥିବା ଅଭିଯୋଗ କରିଛନ୍ତି ।

ପରିବାର ଲୋକଙ୍କ କହିବା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ପିଠିରେ ଯନ୍ତ୍ରଣା ହେବାରୁ ପ୍ରିୟଙ୍କାଙ୍କ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଡାକ୍ତର ଇଞ୍ଜେକସନ ଦେବା ପରେ ତାଙ୍କର ହଠାତ ମୃତ୍ୟୁ ହୋଇ ଯାଇଥିଲା । ଏହାକୁ ନେଇ ହସ୍ପିଟାଲ ପରିସରରେ ଉତେଜନା ପ୍ରକାଶ ପାଇଥିଲା । କରୋନା ସମୟରେ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଉଥିବା ବେଳେ ମୃତ ପ୍ରିୟଙ୍କାଙ୍କ ପରିବାର ଲୋକ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସତ ହୋଇଥିଲେ ସାଂଘାତିକ ।