ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ଚାର୍ଜସିଟ୍ ଦାଖଲ: ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର 

79

କନକ ବ୍ୟୁରୋ: ବଢିଲା ଆଶିଷ ମିଶ୍ରାଙ୍କ ଅଡୁଆ । କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଲା ଏସଆଇଟି । ୫ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ କୁ ସିଜେଏମ କୋର୍ଟରେ ଦାଖଲ କରାଯାଇଛି । ସୋମବାର ସକାଳୁ କଡା ସୁରକ୍ଷା ମଧ୍ୟରେ ଦୁଇଟି ତାଲା ଦ୍ୱାରା ସୁରକ୍ଷିତ ବଡ ଟ୍ରଙ୍କ ରେ ୫ ହଜାର ପୃଷ୍ଠା ବିଶିଷ୍ଠ ଚାର୍ଜସିଟକୁ ଲକ୍ଷିମପୁର ସହରର ମୁଖ୍ୟ ନ୍ୟାୟିକ ମାଜଷ୍ଟ୍ରେଟ କୋର୍ଟ ପରିସରକୁ ଅଣାଯାଇଛି ।

ଲଖିମପୁର ଖେରି ଚାଷୀ ହତ୍ୟା ଓ ହିଂସାକାଣ୍ଡ ମାମଲାରେ ଉତରପ୍ରଦେଶର ଏସଆଇଟି ଚାର୍ଜସିଟ୍ ଦାଖଲ କରିିଛି । ଏକ ଲୁହାର ବାକ୍ସରେ ୫ ହଜାର ପୃଷ୍ଠାର ଚାର୍ଜସିଟକୁ ସିଜେଏମ କୋର୍ଟରେ ଦାଖଲ କରିଛି ଏସଆଇଟି । ତବେ ଏହି ଚାର୍ଜସିଟରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଇଛି । କେବଳ ସେତିକି ନୁହେଁ ଏସଆଇଟି ଅନୁସାରେ ଆଶିଷ ମିଶ୍ର ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଏସଆଇଟି ଚାର୍ଜସିଟ୍ ଅନୁସାରେ –

– ଚାଷି ହତ୍ୟା ଓ ହିଂସାକାଣ୍ଡ ପଛର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର 

– ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ଆଶିଷ 

– ଚାଷୀଙ୍କ ଉପରେ ଗାଡି ଚଢାଇବା ପରେ ହୋଇଥିବା ହିଂସାକାଣ୍ଡବେଳେ ନିଜ ଅଙ୍ଗରକ୍ଷୀଙ୍କୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ 

– ଆଶିଷ ମିଶ୍ରଙ୍କ ସମ୍ପର୍କୀୟ ବିରେନ୍ଦ୍ର ଶୁକ୍ଳାଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବାର ଲାଗିଛି ଅଭିଯୋଗ 

– ଆଶିଷ ମିଶ୍ରଙ୍କ ସମେତ ୧୩ ଜଣଙ୍କୁ ଘଟଣାର ଅଭିଯୁକ୍ତ ଭାବେ ଚିହ୍ନଟ କରିଛି ଏସଆଇଟି

ଲଖିମପୁର ଖେରି ଘଟଣାରେ ଆଶିଷ ମିଶ୍ରଙ୍କ ସମେତ ସମସ୍ତ ୧୩ଜଣ ଅଭିଯୁକ୍ତ ଜେଲରେ ଅଛନ୍ତି । ତେବେ ଏସଆଇଟି ନୂଆ ଅଭିଯୁକ୍ତ ବିରେନ୍ଦ୍ର ଶୁକ୍ଳାକୁ ଚିହ୍ନଟ କରିଛି । ବିରେନ୍ଦ୍ର ଧାରା ୨୦୧ ଅନ୍ତର୍ଗତ ପ୍ରମାଣ ନଷ୍ଟ କରିବାକୁ ଷଡଯନ୍ତ୍ର କରିଥିଲା । ୩ ଅକ୍ଟୋବର, ୨୦୨୧ରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଲକ୍ଷିମପୁର ଖେରି ଗସ୍ତ ବେଳେ ପ୍ରତିବାଦକୁ ଓହ୍ଲାଇଥିଲେ ଚାଷୀ । ହାତରେ କଳା ପତାକା ଧରି ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ ଚାଷୀ ।

ବିବାଦୀୟ ୩ କୃଷି ଆଇନ୍ ପ୍ରତ୍ୟାହୃତ ଦାବିରେ ମନ୍ତ୍ରୀଙ୍କ ଗସ୍ତକୁ ନିରବ ଭାବେ ପ୍ରତିବାଦ କରୁଥିବାବେଳେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଯାଉଥିବା ଗାଡି ଶାନ୍ତିର ସହ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଚଢାଇଦିଆଯାଇଥିଲା । ଘଟଣା ସ୍ଥଳରେ ୪ ଜଣ ଚାଷୀ ମୃତ୍ୟୁ ବରଣ କରିଥିଲେ । ଏହାପରେ ହିଂସାକାଣ୍ଡରେ ଅନ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଗକୁ ଉତରପ୍ରଦେଶରେ ବିଧାନସଭା ନିର୍ବାଚନ ଥିବାବେଳେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ଅଭିଯୋଗ ହେବା ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ଖୋରାକ ଯୋଗାଇବ ନିଶ୍ଚୟ ।