ନୟାଗଡ଼ରୁ ବିପୁଳ ପରିମାଣର ବ୍ରାଉନସୁଗାର ଓ ନଗଦ ଟଙ୍କା ଜବତ: ଜଣେ ଗିରଫ, ଆଉ ଜଣେ ଫେରାର

81

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ନୟାଗଡରୁ ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍ । ଏହି ଘଟଣାରେ ଅଭିଯୁକ୍ତ କେ. ଭିକି ରାଓ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ଦାସ ଫେରାର ରହିଛି । ଏସଟିଏଫ ଚଢାଉ କରି ୩ କେଜି ୧୦୦ ଗ୍ରାମର ବ୍ରାଉନସୁଗାର, ୩ଟି ୭ ଏମ୍ଏମ୍ ପିସ୍ତଲ, ୪୩ଟି ଅଫୁଟା ଗୁଳି, ନଗଦ ୬୫ ଲକ୍ଷ ଟଙ୍କା, ଟଙ୍କା ଗଣିବା ମେସିନ୍, ୩ଟି ମୋବାଇଲ, ଗୋଟିଏ ଟ୍ୟାବ, ଆଧାରକାର୍ଡ଼, ଏଟିଏମ କାର୍ଡ଼, ପ୍ୟାନ କାର୍ଡ଼ ଜବତ କରିଛି ।

ନୟାଗଡର ଶିବ ଆଉ ତାର ସହଯୋଗୀ ନିଶା କାରବାର ଚଳାଉଥିଲା । ଏହି ସମୟରେ ବଡ ଧରଣର ଡିଲ୍ ହୋଇଥିଲା । ଏହି ସୂଚନା ପାଇବା ପରେ ଏସଟିଏଫ ଉଦୟଲେନ୍, ସିନ୍ଦୁରା ଗାଁରେ ରେଡ୍ କରିଥିଲା । ଏବେ ଗିରଫ ଅଭିଯୁକ୍ତ ଭିକି ରାଓକୁ କୋର୍ଟ ଫରୱାର୍ଡ କରିବ ଏସଟିଏଫ୍ । ଭିକିର ଘର ଖୋର୍ଦ୍ଦା ଜଟଣି ରାଜାବଜାର ଅଂଚଳର ।

କ୍ରାଇମବ୍ରାଂଚ ଏଡିଜି କହିଛନ୍ତି ଯେ ରାଜ୍ୟରେ ନିଶା କାରବାରର ମୂଳୋତ୍ପାଟନ ପାଇଁ ୨୦୨୦ରୁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ଗତ ୨ବର୍ଷ ଭିତରେ ୪୭ କେଜି ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ । ଏ ଅବଧି ଭିତରେ ନିଶା କାରବାରରେ ସଂପୃକ୍ତ ୧୨୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୬୭ଟି ଆଗ୍ନେୟାସ୍ତ୍ର ଜବତ କରିଛି ଏସଟିଏଫ ।