ସମ୍ବଲପୁରରେ ସସପେନ୍ସ ଭୋଟର, ମୁଡ ବଦଳାନ୍ତି ପ୍ରତିଥର । ପଞ୍ଚାୟତ ପରୀକ୍ଷା ପାଇଁ ଏଥର ଲଢେଇ ହେବ ଜୋରଦାର ।

156

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ମୁଖ୍ୟଦ୍ୱାର କୁହାଯାଉଥିବା ସମ୍ବଲପୁରରେ ଏଥପ ପଞ୍ଚାୟତ ନିର୍ବାଚନ ମାହୋଲ ବେଶ ସରଗରମ ରହିଛି । ଗତ ୨ଟି ପଞ୍ଚାୟତ ନିର୍ବାଚନରେ ଫଳାଫଳ ଚଳିତ ନିର୍ବାଚନକୁ ଆହୁରି ରୋଚକ କରିଛି । ଖାସକରି ଦଳୀୟ ଚିହ୍ନରେ ଲଢାଯାଉଥିବା ଜିଲ୍ଲା ପରିଷଦ ଆସନ ହାତେଇବାକୁ ଜୋର ଦେଉଛନ୍ତି ରାଜନୈତିକ ଦଳ । କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନରେ କାହାକୁ ଭରସିବେ ଭୋଟର ତାହା ଏବେ ବି ସସପେନ୍ସରେ । ପ୍ରଚାରରେ କଟକଣା ଲାଗିଥିବାରୁ ଭୋଟରଙ୍କ ମୁଡ ପରଖିବା ଏବେ ନେତାଙ୍କ ପାଇଁ କଷ୍ଟକର ହୋଇପଡିଛି । ଯାହା ରାଜନୈତିକ ଦଳର ଚିନ୍ତାକୁ ବଢାଇଦେଇଛି ।

ସମ୍ବଲପୁରରେ ୧୮ଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ ୨୦୧୨ରେ ୧୪ଟି ଆସନ ହାତେଇ ଜିଲ୍ଲା ପରିଷନ ଅଧ୍ୟକ୍ଷ ପଦ ହାତେଇଥିଲା ବିଜେଡି । କିନ୍ତୁ ୨୦୧୭ର ପଞ୍ଚାୟତ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କାରଣ ବିଜେପି ସପକ୍ଷରେ ଭୋଟ କରିଥିଲେ ଭୋଟର । ୧୩ଟି ଜୋନ୍ ହାତେଇବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ନିଜ ଅକ୍ତିଆରକୁ ନେଇଥିଲା ବିଜେପି । କିନ୍ତୁ ଚଳିତ ନିର୍ବାଚନର ଫଳାଫଳ କଣ ହେବ ତାହା ଏବେ ବି ସସପେନ୍ସରେ । ତେବେ ଏହି ସସପେନ୍ସ ଭୋଟର ବିଜେଡିର ମୁଣ୍ଡବିନ୍ଧାର କାରଣ ପାଲଟିପାରନ୍ତି । ଏସବୁ ଭିତରେ ବିଜେଡି ପାଇଁ ଭଲ ଖବର ହେଲ. ୨୦୧୯ ନିର୍ବାଚନ ପରଠାରୁ ଦଳ ଏଠାରେ ଅଧିକ ସଙ୍ଗଠିତ ହୋଇଛି । ନଳିନୀକାନ୍ତ ପ୍ରଧାନ ପଞ୍ଚାୟତ ପରୀକ୍ଷା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ ଏହାକୁ ତୃଣମୂଳସ୍ତରକୁ ନେବା ଆରମ୍ଭ କରିଛନ୍ତି । ରେଢାଖୋଲ ନିର୍ବାଚନମଣ୍ଡଳୀ ଅଧୀନରେ ୬ଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ ଏଠାରେ କ୍ଲିନସୁଇପ କରିବା ଲକ୍ଷ୍ୟରେ ରଖିଛି ବିଜେଡି । କାରଣ ରେଢାଖୋଲରେ ଦଳର ଦବଦବା ଯଥେଷ୍ଟ ଅଧିକ ରହିଛି । କିନ୍ତୁ ବିଜେଡି ପାଇଁ ବୁମେରାଂ ହୋଇପାରନ୍ତି ବିଦ୍ରୋହୀ ପ୍ରାର୍ଥୀ । କାରଣ ଦଳୀୟ ସମର୍ଥନ ଆଶାରେ ପଞ୍ଚାୟତସ୍ତରରେ ଅନେକ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ଯାହାର ସିଧାସଳଖ ପ୍ରଭାବ ଜିଲ୍ଲା ପରିଷଦ ଆସନ ଉପରେ ପଡିପାରେ ବୋଲି ଚର୍ଚ୍ଚା ହେଉଛି । ଆଉ ଯଦି ଏଭଳି ହୁଏ ତେବେ ବିଜେଡି ପୁଣିଥରେ ଏଠାରେ କମବ୍ୟାକ୍ କରିବାର ସମ୍ଭାବନା କ୍ଷୀଣ ।

ଅନ୍ୟପଟେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ମୈଦାନକୁ ଓହ୍ଲାଇବା ବିଜେପିକୁ ବେଶ ସୁହାଇବ ବୋଲି କୁହାଯାଉଛି । କାରଣ ହେଭିୱେଟ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଏଠାରେ ବିଜେପି ପଞ୍ଚାୟତ ଲଢେଇକୁ ଓହ୍ଲାଇଛି । ଗ୍ରାମାଞ୍ଚଳରେ ଜୟନାରାୟଣଙ୍କ ଲୋକପ୍ରିୟତା ଭୋଟ ରାଜନୀତିକୁ ଯଥେଷ୍ଟ ପ୍ରଭାବିତ କରିବାର ସମ୍ଭାବନା ରହିଛି । ଏହାଛଡା ରେଙ୍ଗାଲିରେ ବିଜେପି ନିଜର ସଙ୍ଗଠନକୁ ଯଥେଷ୍ଟ ସୁଦୃଢ କରିସାରିଥିବାରୁ ଏଠାରେ ପ୍ରବେଶ କରିବା ପ୍ରତିଦ୍ୱନ୍ଦ୍ୱୀଙ୍କ ପାଇଁ ସହଜ ହେବ ନାହିଁ । ଏସବୁ ବ୍ୟତୀତ ଦଳ ଭିତରେ ଅନ୍ତଃକନ୍ଦଳ ନ ରହିବା ବିଜେପି ପାଇଁ ଆର୍ଶୀବାଦ ସାଜିଛି । ତେଣୁ ୨୦୨୨ରେ ମଧ୍ୟ ୨୦୧୭ର ପୁନରାବୃତ୍ତି କରିବାକୁ ଲକ୍ଷ୍ୟ ରଖିଛି ବିଜେପି । ତେବେ ଶାସକ ବିଜେଡି ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ସାମ୍ନାକୁ ଆଣି ନିର୍ବାଚନ ମୈଦାନକୁ ଓହ୍ଲାଇଥିବାରୁ ଏହା ବିଜେପିର ଭୋଟବ୍ୟାଙ୍କକୁ କିଛି ମାତ୍ରାରେ ପ୍ରଭାବିତ କରିପାରେ ବୋଲି କୁହାଯାଉଛି ।

ବିଜେଡି-ବିଜେପିର ଏହି ଲଢେଇ ଭିତରେ କଂଗ୍ରେସ କିନ୍ତୁ ଯଥେଷ୍ଟ ପଛରେ ରହିଥିବା ଚର୍ଚ୍ଚା ହେଉଛି । ଦଳ ପାଖରେ ନା ବଡ ଚେହେରା ଅଛନ୍ତି ନା ଏଥର ପ୍ରଚାର ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାର ସୁଯୋଗ ରହିଛି । ଏଭଳି ସ୍ଥିତିରେ ଦଳର ସବୁଠୁ ବଡ ସମ୍ପତ୍ତି ହେଉଛି ପାରମ୍ପରିକ ଭୋଟବ୍ୟାଙ୍କ । ତେଣୁ ଏହି ଭୋଟବ୍ୟାଙ୍କରେ ଯଦି ସେଭଳି ବଡ ଧରଣର ହଲଚଲ ନ ହୁଏ ତେବେ କଂଗ୍ରେସ ମଧ୍ୟ ବିଜେଡି-ବିଜେପିର ଏହି ଲଢେଇରେ ନିଜକୁ ଦୃଢ ଦାବିଦାର ଭାବେ ଛିଡା କରିପାରିବ । ଆଉ ଏଥିପାଇଁ ସ୍ଥାନୀୟ ନେତାଙ୍କୁ ତୃଣମୂଳସ୍ତରରେ ସଙ୍ଗଠିତ ହେବାକୁ ପଡିବ । ଯାହାଦ୍ୱାରା ସମ୍ବଲପୁରରେ ହାତର ପଞ୍ଝା ଆହୁରି ସୁଦୃଢ ହୋଇପାରିବ । ତେବେ ଏସବୁ ଭିତରେ କେଉଁ ଦଳ ପ୍ରତି ସମ୍ବଲପୁରବାସୀ ଆସ୍ଥା ପ୍ରକଟ କରିବେ ତାହା ଉପରେ ସମସ୍ତଙ୍କର ନଜର ରହିବ ।