ମାଲକାନଗିରିରେ ସପ୍ତାହେ ବନ୍ଦ ହେଲା ଧାନ ମଣ୍ଡି: ଦଲାଲଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ଜିଲ୍ଲା ଯୋଗାଣ ବିଭାଗର ପଦକ୍ଷେପ

112

କନକ ବ୍ୟୁରୋ: ମଣ୍ଡିରେ ଥମୁ ନାହିଁ ଦଲାଲ ରାଜ । ଆଉ ଦଲାଲ ରାଜକୁ ରୋକିବା ଲାଗି ମାଲାକନଗିରି ଜିଲ୍ଲାରେ ଧାନ ମଣ୍ଡିକୁ ସପ୍ତାହେ ପାଇଁ ବନ୍ଦ କରିଦେଇଛି ଜିଲ୍ଲା ପ୍ରଶାସନ । କିଛି ଚାଷୀଙ୍କୁ ଆଳ କରି ଦଲାଲମାନେ ମଣ୍ଡିରେ ଧାନ ବିକ୍ରି କରି ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ଯୋଗାଣ ବିଭାଗ ଅଧିକାରୀ ପ୍ରକୃତ ଚାଷୀଙ୍କ ଘର ଘର ବୁଲି ସର୍ଭେ କରିବା ପରେ ବଳକା ଧାନ କିଣାଯିବ ବୋଲି ଜଣାପଡିଛି । ତେବେ ସପ୍ତାହକ ପାଇଁ ଧାନ ମଣ୍ଡି ବନ୍ଦ ଯୋଗୁ ମଣ୍ଡିରେ ଧାନ ଗଚ୍ଛିତ ଥିବା ବେଳେ ଚାଷୀ ହଟହଟା ହେଉଥିବା ଦେଖିବାକୁ ମିଳିଛି ।

ସରକାରୀ ମଣ୍ଡିରେ ଧାନ ବିକିବା ଲାଗି କଟକଣା ଥିଲେ ହେଁ କିଛି ଚାଷୀଙ୍କୁ ଅସ୍ତ୍ର କରି ସରକାରୀ ମଣ୍ଡିରେ ଧାନ ବିକ୍ରି କରୁଛନ୍ତି ଦଲାଲ । କିଛି ଦିନ ତଳେ ମାଲକାନଗିରି ଜିଲ୍ଲାର ପିଟାଗେଟା, ନିଳାକାମ୍ବେରୁ, ଖଇରପୁଟ, ଗୋବିନ୍ଦପାଲି, କାମବେଡା ମଣ୍ଡିରେ ଚଢାଉ କରି ଦଲାଲଙ୍କ ଠାରୁ ପ୍ରାୟ ୨୧୫ କ୍ୱିଂଟାଲ ଧାନ ଜବତ କରିଥିଲା ଯୋଗାଣ ବିଭାଗ । ଏହାପରେ ସପ୍ତାହେ ପାଇଁ ଧାନ ମଣ୍ଡିକୁ ବନ୍ଦ କରି ଦେଇଛି ଜିଲ୍ଲା ଯୋଗାଣ ବିଭାଗ । ଦଲାଲଙ୍କୁ ରୋକିବା ପାଇଁ ପ୍ରଶାସନର ଏପରି ନିଷ୍ପତି ଯୋଗୁ ହଟହଟା ହେଉଛନ୍ତି ପ୍ରକୃତ ଚାଷୀ । ମଣ୍ଡିରେ ଧାନ ଗଚ୍ଛିତ ରଖି ନିଜ ପାଳିକୁ ଅନାଇ ବସିଛନ୍ତି ଚାଷୀ ।

ଚଳିତ ଖରିପ ଋତୁରେ ମାଲାକନଗିରି ଜିଲ୍ଲାର ୩୮ହଜାର ୫୦୦ ପଂଜିକୃତ ଚାଷୀଙ୍କ ଠାରୁ ୯ ଲକ୍ଷ ୩୬ ହଜାର କ୍ୱିଂଟାଲ ଧାନ କିଣିବାକୁ ଲକ୍ଷ୍ୟ ରଖାଯାଇଛି । ଗତ ୫ ସପ୍ତାହରେ ପ୍ରାୟ ୧୮ ହଜାର ଚାଷୀଙ୍କ ଠାରୁ ୮ ଲକ୍ଷ ୪୦ ହଜାର କ୍ୱିଂଟାଲ ଧାନ କିଣା ସରିଛି । ଏବେ ଦଲାଲଙ୍କ ଦୌରାତ୍ମ୍ୟ ଯୋଗୁଁ ମଣ୍ଡିକୁ ବନ୍ଦ କରାଯାଇଛି । ଯୋଗାଣ ବିଭାଗ ପକ୍ଷରୁ ବଳକା ୧୮ ହଜାର ଚାଷୀଙ୍କ ଘରକୁ ଘର ବୁଲି ଜମିର ଯାଂଚ କରିବେ ଯୋଗାଣ ଅଧିକାରୀ । ୨୦୦ଟି ଟିମ୍ ଜମି ଓ ଧାନର ପରିମାଣ ଯାଂଚ କରିବା ପରେ ଧାନ କିଣିବ ପ୍ରଶାସନ ।

ମଣ୍ଡି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସହ ଦଲାଲ ରାଜ ରୋକିବା ଲାଗି ପଦକ୍ଷେପ୍ ଗ୍ରହଣ କରାଯାଇଛି । ତଥାପି କିନ୍ତୁ ମାଲାକନଗିରି ପରି ଉପାନ୍ତ ଅଂଚଳରେ ମଣ୍ଡିରେ ଦଲାଲଙ୍କ ଉପଦ୍ରବ କମ ହେଉନାହିଁ ।