ବେସରକାରୀ ଚାକିରି ସରକାରୀ ଦଲାଲ: ମାଲକାନଗିରିରେ ଛୋଟ ଚାକିରି ପାଇଁ ବଡ଼ ନୋଟ କାରବାର 

113

କନକ ବ୍ୟୁରୋ: ବେସରକାରୀ ଚାକିରି ସରକାରୀ ଦଲାଲ । ଛୋଟ ଚାକିରି ପାଇଁ ବଡ ନୋଟ କାରବାର ହୋଉ ଥିବା ନେଇ କନକ ନ୍ୟୁଜ ରେ ଆମେ ମହାଖୁଲାସା କରି ଥିଲୁ । ଗତ ୯ ତାରିଖରେ ଆମେ ବେସରକାରୀ ଚାକିରି ସରାକାରୀ ଦଲାଲ କାର୍ଜ୍ୟକ୍ରମ ମାଧ୍ୟମରେ କିଛି ସରକାରୀ କର୍ମଚାରୀଙ୍କ ମୁଖା ଖୋଲି ଥିଲୁ । ତେବେ ଆଜି ଆମେ ବେସରକାରୀ ଚାକିରି ସରକାରୀ ଦଲାଲ – ପାର୍ଟ ଟୁ ଆପଣଙ୍କ ସାମନା ରେ ରଖୁଛୁ । କେମିତି ଜଣେ ଷ୍ଟାଫ ନର୍ସ ଚାକିରି ଆଶାୟୀଙ୍କ ଠାରୁ ପୁଳା ପୁଳା ଟଙ୍କା ନେଉ ଥିଲେ ତାହାର ପ୍ରମାଣ ଆପଣଙ୍କୁ ଦେଖାଇବୁ । ଆଉ ନିଜ କୁ କ୍ଲିନ୍ ଚିଟ୍ ଦର୍ଶାଇବା ଲାଗି ସିଡିଏମଓଙ୍କ କାର୍ଯ୍ୟାଳୟରେ କେମିତି ସରକାରୀ ଫାଇଲ ର ନଥି ପତ୍ର କୁ ହେର ଫେର କରା ଯାଇଛି, ତାହାର ଏକ୍ସକ୍ଲୁସିଭ ଦସ୍ତାବିଜ ଏବେ କନକ ନ୍ୟୁଜ ହାତରେ ।

ବେସରକାରୀ ଚାକିରି, ସରକାରୀ ଦଲାଲ 

ସୁଇପର ପଦବୀ – ୩୦ ହଜାର

ଆଟେଣ୍ଡାଂଟ – ୬୦ ହଜାର

ଷ୍ଟାଫ ନର୍ସ – ୭୦ ହଜାର

ମେଡିକାଲ ରେକର୍ଡ ଆସିଷ୍ଟାଂଟ – ୯୦ ହଜାର

ଏଏନଏମ୍ – ୧ ଲକ୍ଷ ୩୦ ହଜାର 

ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗରେ ୬ ଟି ବର୍ଗର ଭିନ୍ନ ଭିନ୍ନ ପଦ ପଦବୀ ଲାଗି ଏକ ପ୍ରାଇସ ଲିଷ୍ଟ ପ୍ରସ୍ତୁତ କରା ଯାଇ ଲାଂଚ ଆଦାୟ କରୁ ଥିଲେ ଜଣେ ସରକାରୀ ଫାର୍ମାସିଷ୍ଟ ମାନସ ବାରିକ । ଏ ନେଇ ଆମେ ଗତ ୯ ତାରିଖ ରେ ଖବର ପ୍ରସାରଣ କରି ଥିଲୁ । ଆଉ ଏ ହେଉଛି ବେସରକାରୀ ଚାକିରି ସରକାରୀ ଦଲାଲ ପାର୍ଟ – ୨ । ଦେଖନ୍ତୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାକିରି କରୁଥିବା ଷ୍ଟାଫ ନର୍ସ ହିରାମଣି ହଂସ ଚାକିରି ନାଁରେ ପିଲାଙ୍କ ଠାରୁ କେମିତି ୟୁପିଆଇ ମାଧ୍ୟମରେ ଟଙ୍କା ଆଦାୟ କରୁଥିଲେ, କନକ ନ୍ୟୁଜ ହାତରେ ଲାଗିଛି ହିରାମଣି ହଂସ ଙ୍କ ବ୍ୟାଙ୍କ ଆକାଉଂଟର ତଥ୍ୟ ।

ଏହି ଆକାଉଂଟ ଷ୍ଟେଟମେଂଟ ଦର୍ଶାଉଛି ଯେ, ଗତ ସେପ୍ଟମ୍ବର ମାସରୁ ଅକ୍ଟୋବର ମାସ ମଧ୍ୟରେ ହଠାତ କେମିତି ହିରାମଣିଙ୍କ ଜମା ଖାତାରେ ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଜମା ହୋଇଛି, ଆଉ ପର୍ଯ୍ୟାୟ କ୍ରମେ ସେଇ ୟୁପିଆଇ ମାଧ୍ୟମରେ ଅନ୍ୟ ଆକାଉଂଟକୁ ଟ୍ରାନ୍ସଫର ହୋଇଛି । ଗତ ୩୦ ସେପ୍ଟେମ୍ବର ୨୦୨୨ ରେ ୮୭୬୩୭୨୫୦୨୦ ନଂ ରୁ ହିରାମଣି ହଂସ ଙ୍କ ଆକାଉଂଟରେ ଏମଭି -୧୭ ଗାଁ ର ଅଭିଜିତ ରାୟ ନାମକ ବ୍ୟକ୍ତି ୭୦୫୦୦ ଟଙ୍କା ଜମା ଟ୍ରାନ୍ସଫର କରି ଥିଲେ । ସଂଗିତା ନାମକ ଜଣେ ପ୍ରାର୍ଥୀଙ୍କ ପାଇଁ ପ୍ରଦୀପ ନାମକ ବ୍ୟକ୍ତିଙ୍କ ମାଧ୍ୟମରେ ଏହି ଟଙ୍କା ପଠାଇଯାଇଥିଲା ।

ସିଡିଏମଓଙ୍କ କାର୍ଯ୍ୟାଳୟର ପଦକ୍ଷେପ ମଧ୍ୟ ସନ୍ଦେହ ଘେରକୁ ଆସିଛି । ଚାକିରି ନାଁରେ ଦୁର୍ନୀତି ଅଭିଯୋଗ ପରେ ଏଡିଏମ ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା  । ତେବେ କାଗଜ ପତ୍ର ସବୁ ଠିକ ଦର୍ଶାଇବା ଲାଗି ଦୁଇ ଦୁଇଟି ଶୋ କଜ୍ ନୋଟିସକୁ ପିଛିଲା ଭାବେ ଜାରି କରାଯାଇଛି ।   ଚିଠି ନଂ ୯୦୩୪ ଓ ଚିଠି ନଂ ୮୬୮୫କୁ ପିଛିଲା ତାରିଖରେ ଜାରି କରାଯାଇଛି । ଏହି ଦୁର୍ନୀତରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛି ଜିଲ୍ଲା କଂଗ୍ରେସ କମିଟି ।