ଚାଷୀ ପ୍ରସଙ୍ଗରେ ଫେରାଦ ହେବାକୁ ରାଜଭବନରେ ବିଜେଡି ବିଧାୟକ: ଏମଏସପିକୁ ନେଇ ରାଜ୍ୟପାଳଙ୍କୁ ଦାବିପତ୍ର

103

କନକ ବ୍ୟୁରୋ: ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ଚାଷୀ ପ୍ରସଙ୍ଗରେ ମଧ୍ୟଭାଗକୁ ଆସି ହୋହାଲା କରିଥିଲେ ପ୍ରାୟ ସବୁ ଦଳର ବିଧାୟକ । ଏମଏସପି ଦର ବୃଦ୍ଧି ଦାବିରେ ଶାସକ ଦଳର ବିଧାୟକମାନେ ହୋହାଲା କରିଥିବାବେଳେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଫସଲ ବୀମା, ଇନପୁଟ ସବସିଡି ପ୍ରସଂଗ ଉଠାଇ ନାରାବାଜି କରିଥିଲେ । ବିଧାୟକମାନଙ୍କ ହଟଗୋଳ ଯୋଗୁଁ ଦିନ ତମାମ ଚାଲି ପାରିନଥିଲା ବିଧାନସଭା । ହୋହଲା ଭିତରେ ମାତ୍ର ୧୨ମିନିଟ ଚାଲିଥିଲା ଗୃହ କାର୍ଯ୍ୟ ।

ପଦ୍ମପୁର ଉପନିର୍ବାଚନରେ ଚାଷୀଙ୍କୁ ଫସଲ ବୀମା ନମିଳିବା, ଇନପୁଟ ସବସିଡି ନମିଳିବା, ପ୍ରମୁଖ ପ୍ରସଙ୍ଗ ପାଲଟିଥିବାବେଳେ ବିଧାନସଭା ବାହାରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । ଚାଷୀଙ୍କ ପାଇଁ ପ୍ରମୁଖ ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ପଦଯାତ୍ରା କରି ଦାବି ରଖିଥିଲେ । ଏମଏସବି ବୃଦ୍ଧି ଦାବିରେ ବିଜେଡି ବିଧାୟକମାନେ ବିଧାନସଭାରୁ ରାଜଭବନ ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଥିଲେ । ସେହିପରି ବିଜେପି ସଦସ୍ୟମାନେ ବିଧାନସଭାରୁ ଲୋୟର ପିଏମଜିରେ ଚାଲିଥିବା ସତ୍ୟାଗ୍ରହ ସ୍ଥଳ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଦୃଶ୍ୟ ଦେଖିଲେ ଲାଗୁଥିଲା, ଉଭୟ ଦଳ ଦେଖାଇବାକୁ ଚାହିଁଥିଲେ ଚାଷୀଙ୍କ ପ୍ରତି ଥିବା ସେମାନଙ୍କ ଦରଦ । ଯାହାକୁ ସମାଲୋଚନା କରିଛି କଂଗ୍ରେସ ।

ଚାଷୀ ପ୍ରସଙ୍ଗକୁ ଆଳ କରି ବିଧାୟକମାନେ ବିଧାନସଭା ଚଳାଇ ନଦେବା ଅନେକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି, ପ୍ରକୃତରେ ଚାଷୀ ପାଇଁ କାନ୍ଦୁଛି କିଏ? ଯଦି କେନ୍ଦ୍ରରେ କ୍ଷମତାଶୀନ ଥିବା ବିଜେପି ଓ ରାଜ୍ୟରେ ଶାସନରେ ଥିବା ବିଜେଡି ଚାଷୀଙ୍କ ଉନ୍ନତି ଚାହୁଁଛନ୍ତି ତାହେଲେ କିଏ ଦେଉଛି ବାଧା? ବିଧାନସଭା ଅଚଳ କରି କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବିଧାୟକ?