ଫାଙ୍କା ପଡ଼ିଛି ବିଧାନସଭା: ପଦ୍ମପୁର ନିର୍ବାଚନ ପାଇଁ ଡେରା ପକାଇଛନ୍ତି ୧୩ ମନ୍ତ୍ରୀ

145

କନକ ବ୍ୟୁରୋ: ରାଜନୀତିରେ ନେତାଙ୍କ ବେଳେବେଳେ ଏଭଳି ଯୁକ୍ତି ଆସେ, ଯାହା ଶୁଣିବା ପରେ ସାଧାରଣ ଲୋକ ନ୍ଦ୍ୱନ୍ଦରେ ପଡ଼ିବା ସ୍ୱାଭାବିକ । ଠିକ୍ ସେମିତି ଏକ ବୟାନ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ବିଧାନସଭା ଚାଲିଛି, ଶୀତ ଅଧିବେଶନ ପାଇଁ ବିଧାୟକ ଓ ମନ୍ତ୍ରୀଙ୍କ ଖୋଜା ପଡ଼ୁଛି । କିନ୍ତୁ ନବ ଦାସ କହୁଛନ୍ତି- ଜଣେ ନିର୍ବାଚିତ ହେଲେ ସିନା ବିଧାନସଭାକୁ ଯିବେ । କେବଳ କ’ଣ ସେତିକି ଆଉ ଗୋଟିଏ ପାଦ ଆଗକୁ ଯାଇ କହିଛନ୍ତି- ପ୍ରଥମେ ନିର୍ବାଚନ ପରେ ବିଧାନସଭା । ଅବଶ୍ୟ ପରେ ବୟାନକୁ ସଂଶୋଧନ କରି କହୁଛନ୍ତି ଉନ୍ନତି ପ୍ରଥମ ।

ବିଧାୟକ ଓ ମନ୍ତ୍ରୀଙ୍କ ପ୍ରାଥମିକତା କ’ଣ ବିଧାନସଭାରୁ ଆସିଥିବା ଏହି ତଥ୍ୟ ହିଁ ପ୍ରମାଣ କରୁଛି । ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ମୋଟ ୨୧ ମନ୍ତ୍ରୀଙ୍କ ମଧ୍ୟରୁ ବିଧାନସଭାରେ ଉପସ୍ଥିତ ଥିଲେ ମାତ୍ର ୭ ଜଣ । ୧୩ ଜଣ ମନ୍ତ୍ରୀ ପଦ୍ମପୁରରେ ଡେରା ପକାଇଛନ୍ତି । ଆଉ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ସୁରଟ ଗସ୍ତରେ ଅଛନ୍ତି । ଗୃହରେ ଅନୁପସ୍ଥିତ ବିଧାୟକଙ୍କ ତାଲିକାରେ କେବଳ ବିଜେଡି ଦଳର ବିଧାୟକ ଅଛନ୍ତି ତାହା ନୁହେଁ, ବିଜେପିର ୨୨ ବିଧାୟକଙ୍କ ମଧ୍ୟରୁ ବିଧାନସଭାରେ ଆଜି ଉପସ୍ଥିତ ଥିଲେ ମାତ୍ର ୧୦ ଜଣ ।

ଏସବୁ ଭିତରେ ରେକର୍ଡ ପରେ ରେକର୍ଡ କରୁଥିବା ବିଜେଡି ସରକାର, ଆଉ ଏକ ଅଲୋଡ଼ା ରେକର୍ଡ ସ୍ଥାପନ କରିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସ୍ଥାନରେ ପଂଚାୟତି ରାଜ ମନ୍ତ୍ରୀ ପ୍ରଦୀପ ଅମାତ ଗତକାଲି ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ । ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଏକାଧିକ ଥର ପଦ୍ମପୁର ପ୍ରଚାରରେ ଦେଖିବାକୁ ମିଳିଥିବା ବେଳେ ବିଧାନସଭାରେ ଖୋଜା ପଡ଼ୁଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ବିଧାନସଭାରେ ବିଧାୟକଙ୍କ ଅନୁପସ୍ଥିତି ହେଉ ବା’ ଅର୍ଥମନ୍ତ୍ରୀଙ୍କ ବଦଳରେ ପଂଚାୟତି ରାଜମନ୍ତ୍ରୀଙ୍କ ଅତିରିକ୍ତ ବଜେଟ ଉପସ୍ଥାପନ ହେଉ, ଉଭୟ ଘଟଣାରେ ରାଜନୈତିକ ଦଳ ଗୁଡ଼ିକର ପ୍ରଥମିକତା କ’ଣ ତାହା, ସମଝତାର୍ କୋ ଇସାରା କାଫି ।