ଜମି ବଦଳରେ ଚାକିରି ଦୁର୍ନୀତି ମାମଲା : ଲାଲୁଙ୍କ ପରିବାରକୁ ବଡ ଆଶ୍ୱସ୍ତି; ମାମଲାରେ ଯଡିତ ସମସ୍ତ ବ୍ୟକ୍ତିଙ୍କୁ ମିଳିଲା ଜାମିନ୍

156

କନକ ବ୍ୟୁରୋ : ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଲାଲୁଙ୍କ ପରିବାରକୁ ବଡ ଆଶ୍ୱସ୍ତି । ମାମଲାରେ ଯଡିତ ସମସ୍ତ ବ୍ୟକ୍ତିଙ୍କୁ ମିଳିଲା ଜାମିନ୍ । ଆଉ ଏଥିପାଇଁ ୫୦ ହଜାର ଟଙ୍କାର ବେଲ୍ ବଣ୍ଡ ଭରିବାକୁ ପଡିବ । ରାଜଧାନୀ ଦିଲ୍ଲୀ ସ୍ଥିତ ରାଉଜ ରେଭେନ୍ୟୁ କୋର୍ଟରେ ହାଜର ହେଇଥିଲେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ଯାଦବ । ହୁଇଲ୍ ଚେୟାରରେ ବସି କୋର୍ଟ ପରିସରରେ ପହଞ୍ଚିଥିଲେ ।

ଲାଲୁଙ୍କ ସହ ତାଙ୍କ ପତ୍ନୀ ରାବ୍ଡୀ ଦେବୀ ଓ ଝିଅ ମିସା ଭାରତୀ ମଧ୍ୟ କୋର୍ଟ ପରିସରରେ ପହଞ୍ଚିଥିଲେ । ସିବିଆଇର ଚାର୍ଜସିଟ୍ ଆଧାର କରି କୋର୍ଟ ଏହି ମାମଲା ସହ ସଶ୍ଲିଷ୍ଟ ସମସ୍ତ ୧୬ ଜଣଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ପରବର୍ତୀ ଶୁଣାଣି ମାର୍ଚ୍ଚ ୨୯ ରେ କରାଯିବ । ଲ୍ୟାଣ୍ଡ ଫର ଜବ୍ ସ୍କାମ୍ ମାମଲା ୧୪ ବର୍ଷ ତଳର ଅଟେ । ୨୦୦୯ରୁ ୧୪ ମଧ୍ୟରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ଲ୍ୟାଣ୍ଡ ଫର ଜବ ସ୍କାମ ମାମଲା ଉଠିଥିଲା ।

୨୦୨୨ରେ ସିବିଆଇର ଏଟ୍ରିଂ ହେବା ପରେ ଜଣଙ୍କ ପରେ ଜଣେ ଆରଜେଡି ନେତା ଓ ଲାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ନାଁ ମାମଲା ଭିତରୁ ଟାଣି ହୋଇଥିଲା । ବହୁ ଚର୍ଚ୍ଚିତ ଲ୍ୟାଣ୍ଡ ଫର ଜବ୍ ସ୍କାମ ମାମଲାକୁ ନେଇ କିଛି ଦିନ ଧରି ଉଠୁଛି ପଡୁଛି ବିହାର । କିଛିଦିନ ପୂର୍ବରୁ ମାମଲାକୁ ନେଇ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଓ ଲାଲୁ ପ୍ରସାଦ ଯାଦବଙ୍କ ଘରେ ସିିବିଆଇ ଚଢ଼ାଉ କରିବା ସହ ଉଭୟଙ୍କୁ ଜେରା କରିଥିଲା । ଯାହାକୁ ନେଇ ତାତିଥିଲେ ଆରଜେଡି କର୍ମୀ ।