ଜୀବନ ଯୁଦ୍ଧରେ ହାରିଗଲା ୮ବର୍ଷୀୟ ଲୋକେଶ : ବୋରୱେଲରୁ ଉଦ୍ଧାର ପରେ ମୃତ ଘୋଷଣା କଲେ ଡାକ୍ତର; ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ଘୋଷଣା

619

କନକ ବ୍ୟୁରୋ : ବୋରୱେଲରେ ପଡି ଚାଲିଗଲା ଆଉ ଏକ କୋମଳମତି ଶିଶୁର ଜୀବନ । ମଧ୍ୟପ୍ରଦେଶରୁ ଆସିଲା ଏଭଳି ହୃଦୟବିଦାରକ ଖବର । ବିଦିଶା ଅଞ୍ଚଳର ୮ ବର୍ଷୀୟ ବାଳକ ଲୋକେଶ ଗତକାଲି ଖେଳୁଥିବାବେଳେ ୬୦ ଫୁଟ୍ର ଗଭୀର ବୋରୱେଲ୍ ଭିତରେ ପଡିଯାଇଥିଲା । ଖବର ମିଳିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମରେ ନିୟୋଜିତ ହୋଇଥିଲେ ।

ପ୍ରାୟ ୨୪ ଘଣ୍ଟାର ଅପରେସନ୍ ପରେ ଲୋକେଶକୁ ଉଦ୍ଧାର କରିଥିଲା ଟିମ୍ । ମାତ୍ର ସେତେବେଳକୁ ତାର ମୃତ୍ୟୁ ହୋଇ ସାରିଥିବା ସୂଚନା ମିଳିଛି । ଲୋକେଶର ମୃତ୍ୟୁ ନେଇ ବିଦିଶା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଲୋକେଶଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଷନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ । ମଙ୍ଗଳବାର ଦିନ ୮ ବର୍ଷୀୟ ବାଳକ ଲୋକେଶ ବୋରୱେଲ ଭିତରେ ଖସି ପଡିଥିଲା । ଖେଳୁଥିବାବେଳେ ୬୦ ଫୁଟ୍ର ଗଭୀର ବୋରୱେଲ ଭିତରେ ଖସି ପଡିଥିଲା ଲୋକେଶ । ଏନଡିଆରଏଫର ୩ଟି ଓ ଏନଡିଆରଏଫର ୨ଟି ଟିମ୍ ଉଦ୍ଧାର କାମରେ ନିୟୋଜିତ ହୋଇଥିଲେ ।

ଲୋକେଶ ବୋରୱେଲ ଭିତରେ ୪୩ ଫୁଟ୍ରେ ଫସି ରହିଥିଲା । ପୋଲିସର ସୂଚନା ଅନୁସାରେ ବୋରୱେଲ ସାଇଡ୍ରେ ୪୯ ଫୁଟ୍ ଗଭୀର ଗାତ ଖୋଳାଗଲା । ଏପଟେ ବୋରୱେଲ ଭିତରେ ଲୋକେଶର ସ୍ଥିତି ମଧ୍ୟ ପରଖା ଯାଉଥିଲା । କେବଳ ସେତିକି ନୁହେଁ ଲୋକେଶ ପାଖରେ ୱେବ୍ କ୍ୟାମେରା ପଠାଯାଇ ତା ଉପରେ ନଜର ରଖାଯାଉଥିଲା । ସପଟେ ଗାତରୁ ଏକ ଟନେଲ୍ ଖୋଳାଯାଇ ପିଲାଟି ପାଖରେ ପହଞ୍ଚିଥିଲା ଉଦ୍ଧାରକାରୀ ଟିମ୍ । ହେଲେ ସେତେବେଳକୁ ଲୋକେଶ ଆଖି ବୁଜି ସାରିଥିଲା ।