ଦେଶର ନୂଆ ଉପରାଷ୍ଟ୍ରପତି ହେବେ ଜଗଦୀପ ଧନଖଡ : ବିରୋଧୀ ପ୍ରାର୍ଥୀ ମାର୍ଗାରେଟଙ୍କୁ ୩୪୬ ଭୋଟରେ କଲେ ପରାଜିତ

ଆସନ୍ତା ୧୧ରେ ନେବେ ଶପଥ, ଧନଖଡଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

86

କନକ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନରେ ଜଗଦୀପ ଧନଖଡ ବିଜୟୀ ହୋଇଛନ୍ତି । ବିରୋଧୀ ପ୍ରାର୍ଥୀ ମାର୍ଗାରେଟ୍ ଆଲଭାଙ୍କୁ ହରାଇ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନରେ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନଖଡଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ୭୮୮ ସାଂସଦଙ୍କ ମଧ୍ୟରୁ ୭୨୫ ଜଣ ଭୋଟ୍ ଦେଇଥିଲେ । ଭୋଟ୍ ପ୍ରତିଶତ ୯୨. ୯୪ ପ୍ରତିଶତ ରହିଛି । ଜଗଦୀପ ଧନଖଡଙ୍କ ସପକ୍ଷରେ ୫୨୮ଟି ଭୋଟ୍ ପଡିଥିବା ବେଳେ ମାର୍ବାରେଟ୍ ଆଲଭାଙ୍କ ସପକ୍ଷରେ ୧୮୨ ଭୋଟ୍ ପଡିଛି । ଏଥିମଧ୍ୟରୁ ରାଜ୍ୟସଭାର ୨୩୩ ନିର୍ବାଚିତ ଓ ୧୨ ମନୋନୀତ ସଦସ୍ୟ ରହିଛନ୍ତି ।

ସେହିପରି ଲୋକସଭାର ୫୪୩ ନିର୍ବାଚିତ ସଦସ୍ୟ ରହିଛନ୍ତି । ବିଜେପିର ଏକାକୀ ୩୯୪ ସାଂସଦ ଥିବାରୁ ଧନଖଡଙ୍କ ବିଜୟ ସୁନିଶ୍ଚିତ ଥିଲା । ଏବେର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବାକୁ ଯାଉଛି । ଆଉ ଧନଖଡ ଅଗଷ୍ଟ ୧୧ରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଧନଖଡଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଧନଖଡଙ୍କୁ ଉତରୀୟ ଦେଇ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ଲୋକସଭାର ବାଚସ୍ପତି ଓମ ବିର୍ଲା ମଧ୍ୟ ଜଗଦୀପ ଧନଖଡଙ୍କୁ ଭେଡି ଶୁଭେଚ୍ଛା ଜଣାଇଛନ୍ତି ।

ମୋଟ ଭୋଟ ସଂଖ୍ୟା – ୭୮୮
ଭୋଟ ପଡିଥିବା ସଂଖ୍ୟା – ୭୨୫
ଭୋଟ ପ୍ରତିଶତ – ୯୨.୯୪%
ଭୋଟ ନାକଚ – ୧୫
ଜଗଦୀପ ଧନଖଡ- ୫୨୮
ମାର୍ଗାରେଟ୍ ଆଲଭା – ୧୮୨

ଜଗଦୀପ ଧନଖଡ :-

– ୧୮ ମଇ, ୧୯୫୧ରେ ରାଜସ୍ଥାନ ଝୁନଝୁନରେ ଜନ୍ମଗ୍ରହଣ କରିଥିଲେ
– ପ୍ରାଥମିକ ଶିକ୍ଷା ପରେ ଆଇନ ଶିକ୍ଷାପ୍ରତି ମନବଳାଇଥିଲେ ଧନଖଡ
– ୧୯୭୯ରେ ରାଜସ୍ଥାନ ବାର୍ କାଉନସିଲରେ ଯୋଗଦେଇଥିଲେ
– ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନର ସର୍ବକନିଷ୍ଠ ଅଧ୍ୟକ୍ଷ ଥିଲେ
– ୧୯୯୦ରୁ ୨୦୧୮ ପର୍ଯ୍ୟନ୍ତ ବରିଷ୍ଠ ଓକିଲ ଭାବେ କାର୍ଯ୍ୟ କରିଛନ୍ତି
– ଉଭୟ ରାଜସ୍ଥାନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଓକିଲ ଭାବେ କାର୍ଯ୍ୟ କରିଛନ୍ତି
– ସୁପ୍ରିମକୋର୍ଟର ବାର ଆସୋସିଏସନ୍ର ପ୍ରେସିଡେଂଟ୍ ରହିଥିଲେ
– ୧୯୮୯ରେ ଜନତା ଦଳ ଟିକେଟରୁ ଝୁନୁଝୁନୁ ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ
– ୧୯୯୦ରେ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ସରକାରରେ ସଂସଦୀୟ ବ୍ୟପାର ରାଷ୍ଟ୍ରମନ୍ତ୍ରୀ ଥିଲେ
– ୨୦୦୩ରେ ଧନଖଡ଼ ବିଜେପିରେ ଯୋଗଦେଇଥିଲେ