ଗର୍ବିତ କଲେ କୁସ୍ତି ଯୋଦ୍ଧା : ଆସିଲା ଆଉ ୬ ପଦକ; ୪୦ ପଦକ ସହ ତାଲିକାର ୫ମ ସ୍ଥାନରେ ଭାରତ

72

କନକ ବ୍ୟୁରୋ : ଗର୍ବିତ କଲେ କୁସ୍ତି ଯୋଦ୍ଧା । ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁଣି ଦେଖାଇଲେ କମାଲ । କୁସ୍ତି ଆଖଡ଼ାରୁ ଭାରତକୁ ମିଳିଲା ଆଉ ୬ଟି ପଦକ । ତିନିଟି ଲେଖାଏଁ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ଜିତିଛି ଭାରତ । ରବି ଦହିଆ, ଭିନେଶ ଫୋଗଟ ଓ ନବୀନ କୁମାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭିନେଶ ଫୋଗଟ ପୂର୍ବରୁ ୨୦୧୪, ୨୦୧୮ରେ ସ୍ୱର୍ଣ୍ଣ ଜିତିଥିଲେ । ପ୍ରଥମ ଭାରତୀୟ ମହିଳା ଭାବେ ଫୋଗଟ ରାଜ୍ୟ ଗୋଷ୍ଠୀ କ୍ରୀଡା ଏବଂ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଏଥର ମଧ୍ୟ ସ୍ୱର୍ଣ୍ଣ ପଦକ ଜିତି ହାଟ୍ରିକ୍ ଗୋଲ୍ଡ ମେଡାଲ ଜିତିବାର ରେକର୍ଡ କରିଛନ୍ତି ଫୋଗଟ । ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ଅଂଶ ଗ୍ରହଣ କରି ସ୍ୱର୍ଣ୍ଣିମ ସଫଳତା ହାସଲ କରିଛନ୍ତି ରବି ଦହିଆ । ଫାଇନାଲରେ ଦୁଇ ଥର ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ବିଜେତା ନାଇଜେରିଆ ପ୍ରତିପକ୍ଷଙ୍କୁ ହରାଇଥିଲେ । ସେହିପରି ତୃତୀୟ ସ୍ୱର୍ଣ୍ଣ ଜିତିଥିଲେ ନବୀନ କୁମାର । ପାକିସ୍ତାନର ମହମ୍ମଦ ସରିଫ ତାହିରଙ୍କୁ ପରାସ୍ତ କରି ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ପୂଜା ଗେହଲଟ, ପୂଜା ସିହାଗ ଓ ଦୀପକ ନେହରା ବ୍ରୋଞ୍ଚ ମେଡାଲ ଜିତିଛନ୍ତି ।

ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ପାରା ଟେବୁଲ ଟେନିସରେ ଗୋଲ୍ଡ ମେଡାଲ ଜିତିଛନ୍ତି ଭାବିନା ପଟେଲ । ଫାଇନାଲରେ ନାଇଜେରିଆର ଖେଳାଳିଙ୍କୁ ୩-୦ରେ ହରାଇ ଗୋଲ୍ଡ ମେଡାଲ ନିଜ ନାଁରେ କରିଛନ୍ତି ଭାବିନା । ଗତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାବିନା ରୌପ୍ୟ ପଦକ ଜିତିଥିଲେ । ଭାବିନା ସ୍ୱର୍ଣ୍ଣ ପଦକ ଜିତିବା ପରେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୩ରେ ପହଞ୍ଚିଛି । ଏହା ସହ ମୋଟ୍ ୪୦ଟି ପଦକ ସହ ତାଲିକାର ୫ମ ସ୍ଥାନରେ ରହିଛି ଭାରତ ।