ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା : ବଡ଼ ପ୍ରଶ୍ନ, ୨୦୨୪ ପାଇଁ ପ୍ରସ୍ତୁତ ହେବ କି ରଣନୀତି ?

141

କନକ ବ୍ୟୁରୋ : ଆଜି ଦୁଇ ଦିନିଆ ଓଡିଶା ଆସୁଛନ୍ତି ଅମିତ ଶାହା । ସଂଧ୍ୟାରେ ସେ ଭୁବନେଶ୍ୱରରେ ପହଞ୍ଚିବେ । ଆସନ୍ତାକାଲି ଭୁବନେଶ୍ୱର ଓ କଟକରେ ବିଭିନ୍ନ କାର୍ଯ୍ୟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସେ ପ୍ରଥମେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ । ପରେ କଟକ ଗସ୍ତରେ ଯିବେ ଅମିତ ଶାହା । ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବା ସହ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ ।

କଟକ ଇନଡୋର ଷ୍ଟାଡିୟମରେ ପ୍ରଜାତନ୍ତ୍ରର ୭୫ ତମ ଅମୃତ ଉତ୍ସବରେ ଯୋଗଦେବେ । ଅପରାହ୍ଣରେ ଭୁବନେଶ୍ୱରରେ ରାଜ୍ୟ କାର୍ଯ୍ୟଳୟରେ ପ୍ରମୁଖ ନେତୃବୃନ୍ଦ ଓ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବେ । ନିର୍ବାଚନ ସମୟରେ ନବୀନ ସରକାରଙ୍କୁ କଡା କଟାକ୍ଷ କରୁଥିବା ଅମିତ ଶାହା ନିଜ ବକ୍ତବ୍ୟରେ କଣ କହିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଅମିତ ଶାହା ଆସୁଥିବାରୁ ତାଙ୍କ ବକ୍ତବ୍ୟ କିପରି ରହିବ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି ।