କର୍ଣ୍ଣାଟକ କଂଗ୍ରେସର ଆଗୁଆ ପ୍ରସ୍ତୁତି , ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଜାରିକଲା ପ୍ରାର୍ଥୀ ତାଲିକା

178

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ୧୨୪ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ଘୋଷଣା ମୁତାବକ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର କନକପୁରା ଆସନରୁ ନିର୍ବାଚନ ଲଢିବେ । ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈହ ବରୁଣା ଆସନରୁ ନିର୍ବାଚନ ଲଢିବେ । ସିଦ୍ଧରମୈହ କୋଲାର ଆସନରୁ ନିର୍ବାଚନ ଲଢିବାକୁ ଚାହୁଁଥିବା ବେଳେ ତାଙ୍କୁ ତାଙ୍କ ପୁଅଙ୍କ ଆସନ ବରୁଣାରୁ ନିର୍ବାଚନ ଲଢିବାକୁ ଦଳ ନିଷ୍ପତ୍ତି ନେଇଛି ।

ସୂଚନା ଥାଉକି ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିନାହାଁନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ ରବିବାର କିମ୍ବା ଆସନ୍ତା ସପ୍ତାହରେ ନିର୍ବାଚନ ଆୟୋଗ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିପାରନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ରାଜ୍ୟରେ ଆଦର୍ଶ ଆଚାର ସଂହିତା ଲାଗୁ ହୋଇଯିବ ।

ଚଳିତ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ମେ’୨୪ ତାରିଖରେ ସମାପ୍ତ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ନିର୍ବାଚନ ଆୟୋଗଙ୍କୁ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମାପ୍ତ କରିବାକୁ ପଡିବ । ଡେକାନ ହେରାଲ୍ଡର ରିପୋର୍ଟ ମୁତାବକ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ନିର୍ବାଚନ ତାରିଖ ଘୋଷଣା ନେଇ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି ।

ସେପଟେ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ହେଲେ ବିଜେପି ଏହି ପ୍ରସ୍ତୁତିରେ ଆଗୁଆ ରହିଛି । ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଚିକ୍କାବଲ୍ଲାପୁର, ବେଙ୍ଗାଲୁରୁ ଓ ଦାବଣଗେରେରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ।