ଯେଉଁ ବୟାନ ପାଇଁ ରାହୁଲ ହେଲେ ଦଣ୍ଡିତ, ସେହି ସମାନ ବୟାନ ଦେଇଥିଲେ ବିଜେପି ନେତ୍ରୀ ଖୁସବୁ ସୁନ୍ଦର

466

କନକ ବ୍ୟୁରୋ : ମୋଦୀ ସାଙ୍ଗିଆକୁ ନେଇ ଏବେ ଦେଶର ରାଜନୀତି ଜୋର ଧରିଛି । ଏହି ମାମଲାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହୋଇଛି । ଏହାପରେ ଏବେ ମୋଦୀ ସାଙ୍ଗିଆକୁ ନେଇ ନୂଆ ନୂଆ ବିବାଦ ସାମ୍ନାକୁ ଆସିଛି । ୨୦୧୯ରେ କର୍ଣ୍ଣାଟକରେ ରାହୁଲ ଗାନ୍ଧୀ ମୋଦୀ ସାଙ୍ଗିଆକୁ ନେଇ ଯେଉଁ ବୟାନ ଦେଇଥିଲେ ୨୦୧୮ ମସିହାରେ ଏବେର ବିଜେପି ନେତ୍ରୀ ଖୁସବୁ ସୁନ୍ଦର ମଧ୍ୟ ସମାନ ବୟାନ ଲେଖି ଏକ ଟ୍ୱିଟ୍ କରିଥିଲେ । ଯାହା କି ଏବେ ବେଶ୍ ଭାଇରାଲ ହେଉଛି । ଏହି ଟ୍ୱିଟରେ ଖୁସବୁ ସୁନ୍ଦର ମୋଦୀ ସାଙ୍ଗିଆକୁ ଭ୍ରଷ୍ଟାଚାର ସହିତ ଯୋଡିବାକୁ ଚେଷ୍ଟା କରିଥିଲେ ।

୨୦୧୮ ରେ ଏବେର ବିଜେପି ନେତ୍ରୀ ଖୁସବୁ ସୁନ୍ଦର ତାଙ୍କ ଟ୍ୱିଟରରେ ଲେଖିଥିଲେ କି, କେହି ସାଙ୍ଗିଆ ମୋଦୀ ଲେଖିଲେ ତାହା ଭ୍ରଷ୍ଟାଚାର ବୋଲି ଅନୁଭବ ହେଉଛି । ଏହାସହ ମୋଦୀ ସାଙ୍ଗିଆକୁ ଭ୍ରଷ୍ଟାଚାର ବେଶ୍ ମ୍ୟାଚ କରୁଥିବା କଥା ସେ ଲେଖିଥିଲେ ।

ଏହି ଟ୍ୱିଟ ଏବେ ଭାଇରାଲ ହେବା ପରେ ଖୁସବୁ ସୁନ୍ଦର ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି କି, ଏହା ସ୍ପଷ୍ଟ ଯେ ଏବେ କଂଗ୍ରେସ ପାର୍ଟି ମୋର ପୁରୁଣା ଟ୍ୱିଟକୁ ଲୋକଙ୍କ ସାମ୍ନାକୁ ଆଣିବାକୁ ବିଚଳିତ ହୋଇପଡିଛି । ସେମାନେ ଜାଣିଶୁଣି ମୋ ପୁରୁଣା ଟ୍ୱିଟକୁ ଭାଇରାଲ କରୁଥିବା କଥା ଖୁସବୁ କହିଛନ୍ତି । ସୂଚନା ଥାଉକି ୨୦୨୦ ମସିହାରେ ଖୁସବୁ ସୁନ୍ଦର କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ।

ସୂଚନା ଥାଉକି ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ବୟାନ ବିରୋଧରେ ଗୁଜରାଟର ସୁରଟ କୋର୍ଟରେ ପୂର୍ଣ୍ଣେଶ ମୋଦୀ ନାମକ ଜଣେ ନେତା ମାନହାନୀ ମକଦ୍ଦମା କରିଥିଲେ । ଏହାର ବିଚାର କରି କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସେପଟେ ଏହି ଦଣ୍ଡବିଧାନ ଆଧାରରେ ଲୋକସଭା ସଚିବାଳୟ ତରଫରୁ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ କରାଯାଇଛି ।