ଆଇପିଏଲ୍ ଆରମ୍ଭ ପୂର୍ବରୁ ରିକି ପଣ୍ଟିଂଙ୍କ ଭବିଷ୍ୟବାଣୀ । କହିଲେ, ଏହି ବ୍ୟାଟ୍ସମ୍ୟାନ୍ ବ୍ୟାଟରୁ ବର୍ଷିବ ରନ୍ । ୱାର୍ଣ୍ଣରଙ୍କ ସହ କରିବେ ଓପନିଂ ।

504

କନକ ବ୍ୟୁରୋ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ । ଚଳିତ ଥର ଅଳ୍ପ କିଛି ପରିବର୍ତ୍ତନ ସହ ସବୁ ଟିମ୍ ପଡିଆକୁ ଓହ୍ଲାଉଛନ୍ତି, ଯାହା ଏଥର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟକୁ ଅଧିକ ରୋଚକ କରିବାକୁ ଯାଉଛି । ଦିଲ୍ଲୀ କ୍ୟାପିଟାଲ୍ସ ଦଳ ମଧ୍ୟ ନିୟମିତ ଅଧିନାୟକ ରିଷଭ ପନ୍ତଙ୍କ ଅନୁପସ୍ଥିତିରେ ଡେଭିଡ୍ ୱାର୍ଣ୍ଣରଙ୍କୁ କ୍ୟାପଟେନ୍ ନିଯୁକ୍ତ କରିଛି । ଆଉ ଏହାରି ଭିତରେ ଦିଲ୍ଲୀ ଟିମର ହେଡ୍ କୋଚ୍ ରିକି ପଣ୍ଟିଂ ଦଳର ଜଣେ ଖେଳାଳିଙ୍କୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ।

ରିକି ପଣ୍ଟି ଚଳିତ ଥର ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ପୃଥ୍ୱୀ ସ୍ୱଙ୍କୁ ନେଇ ବଡ କଥା କହିଛନ୍ତି । ପଣ୍ଟିଂଙ୍କ କହିବା କଥା, ଏହି ସିଜିନରେ ପୃଥ୍ୱୀ ଦମଦାର ପ୍ରଦର୍ଶନ କରିବେ । ଚଳିତ ବର୍ଷ ତାଙ୍କ ବ୍ୟାଟ୍ ଗର୍ଜିବା ସହିତ ରନ୍ ବର୍ଷା ହେବ ବୋଲି ପଣ୍ଟିଂ କହିଛନ୍ତି । ଚଳିତ ସିଜିନ୍ ପାଇଁ ପୃଥ୍ୱୀ ସ କଠିନ ପରିଶ୍ରମ କରୁଛନ୍ତି । ତେଣୁ ଏଥର ଆଇପିଏଲରେ ତାଙ୍କ ବ୍ୟାଟରୁ ଶାନଦାନ୍ ରନ୍ ଦେଖିବାକୁ ମିଳିବ ବୋଲି ପଣ୍ଟିଂ କହିଛନ୍ତି ।

ପ୍ରାଟିସ୍ ସେସନରେ ପଣ୍ଟିଂ ପୃଥ୍ୱୀ ସଙ୍କୁ ଅନେକ ଟିପ୍ସ ଦେଇଛନ୍ତି । ବ୍ୟାଟିଂକୁ ନେଇ ପଣ୍ଟିଂ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଥିବାବେଳେ, ଏଥର କିଛି ନିଆରା ଅନ୍ଦାଜରେ ସେ ନଜର ଆସିବେ ବୋଲି ରିକି ପଣ୍ଟିଂ କହିଛନ୍ତି । ତେବେ ସୂଚନାଯୋଗ୍ୟ ଯେ, ଡେଭିଡ୍ ୱାର୍ଣ୍ଣରଙ୍କ ସହ ଏଥର ପୃଥ୍ୱୀ ସ ଓପନିଂ କରିପାରନ୍ତି ।

ଆଇପିଏଲରେ ପୃଥ୍ୱୀ ସ’ଙ୍କ କ୍ୟାରିୟର ଦେଖିବାକୁ ଗଲେ, ସେ ଏଯାବତ ମୋଟ ୬୩ଟି ମ୍ୟାଚ୍ ଖେଳିଛନ୍ତି । ଏତିକି ମ୍ୟାଚ୍ ଭିତରେ ସେ ୨୫.୨୧ ଆଭରେଜରେ ୧୫୮୮ ଆଇପିଏଲ୍ ରନ୍ କରିଥିବାବେଳେ, ତାଙ୍କ ବ୍ୟାଟରୁ ୧୨ଟି ଅର୍ଦ୍ଧଶତକୀୟ ଇଂନିସ ଦେଖିବାକୁ ମିଳିଛି । ଏଯାବତ ଆଇପିଏଲରେ ପୃଥ୍ୱୀ ସ ୧୯୫ଟି ଚୌକା ଓ ୫୫ଟି ଛକା ମାରିଛନ୍ତି ।