କପା ଚାଷୀ ମୁହଁରେ ହସ ! ସହାୟତା ମୂଲ୍ୟରୁ ଅଧିକ ଦାମରେ କପା ବିକୁଛନ୍ତି କଳହାଣ୍ଡି ଚାଷୀ

80
କନକ ବ୍ୟୁରୋ : କଳାହାଣ୍ଡିର କପା କ୍ଷେତକୁ ଦେଖିଲେ ଲାଗିବ ଚାଷୀର ବର୍ଷକ ପରିଶ୍ରମ କ୍ଷେତ ଭିତରେ ଲହଡି ମାରୁଛି । ଭରା କ୍ଷେତକୁ ଚାହିଁଲେ ଜଣା ପଡିଯାଉଛି ଏବର୍ଷ ବେଶ୍ ଭଲ ହୋଇଛି କପା । ଆଉ ପୂର୍ବ ବର୍ଷ ଭଳି ଚାଷୀ ସରକାରଙ୍କ ହାତଟେକାକୁ ଚାହିଁନି, ବରଂ ନିଜ ଭାଗ୍ୟ ନିଜ ହାତରେ ତିଆରି କରିଛି । ଟ୍ରକ ଟ୍ରକ କପା ଅମଳ କରି ବିକ୍ରି କରୁଛି ଟ୍ରେଡରମାନଙ୍କୁ । ଉନ୍ନତମାନର କପା ଅମଳ ହୋଇଥିବାରୁ ସହାୟକ ମୂଲ୍ୟ ୪୩୨୦ ଟଙ୍କା ଥିବା ବେଳେ ଏହାଠାରୁ ୬୦୦ ଟଙ୍କା ଅଧିକ ମୂଲ୍ୟରେ ବ୍ୟବସାୟୀଙ୍କୁ ସିଧା ବିକ୍ରି କରୁଛି ଚାଷୀ ।
ଏବର୍ଷ ଜିଲ୍ଲାରେ ପ୍ରାୟ ୫ ଲକ୍ଷ କ୍ୱିଂଟାଲ କପା ଉତ୍ପାଦନ ହୋଇଛି । ସରକାର ଏବର୍ଷ କପାର ସହାୟକ ମୂଲ୍ୟରେ ମାତ୍ର ୧୦୦ ଟଙ୍କା ବଢାଇଥିଲେ । ହେଲେ କପାର ମାନ ଭଲ ଥିବା ଯୋଗୁଁ ଏବେ ଏହାର ମୂଲ୍ୟ ଖୋଲା ବଜାରରେ କୁଇଂଟାଲ ପିଛା ୪୯୫୦ ଟଙ୍କାରେ ପହଂଚିଛି । ଆଗକୁ ଏହି କପାର ମୂଲ୍ୟ ଆହୁରି ବଢିବା ଆଶା ମଧ୍ୟ ରଖିଛନ୍ତି ଚାଷୀ ।  କପାର ସହାୟକ ମୂଲ୍ୟ ଠାରୁ ଦାମ ବୃଦ୍ଧି ହେବା ଯୋଗୁଁ ଶହ ଶହ ଟ୍ରକରେ କପା ଧରି ମଣ୍ଡିକୁ ଯାଉଛନ୍ତି, ଆଉ ସେଠାରେ ବ୍ୟବସାୟୀଙ୍କୁ କପା ବିକ୍ରି କରୁଛନ୍ତି । ହେଲେ ଚାଷୀଙ୍କ ଦୁଃଖ ହେଉଛି, ସରକାରୀ ଉଦାସିନତା । ଯଦି ମଣ୍ଡିଗୁଡିକର ସୁପରିଚାଳନା କରାଯାଇଥାନ୍ତା, ତେବେ ଟ୍ରେଡରମାନଙ୍କ ଭିତରେ କମ୍ପିଟେସନ୍ ବଢିଥାନ୍ତା । ଆଉ କପାର ଉଚିତ ମୂଲ୍ୟ ମିଳନ୍ତା ବୋଲି କହିଛନ୍ତି ଚାଷୀ ।
ଗୋଟିଏ ପଟେ ପ୍ରାକୃତିକ ଦୁର୍ବିପାକଠାରୁ ଧାନର ଅଭାବୀ ବିକ୍ରି ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାରେ ଚାଷୀ ହନ୍ତସନ୍ତ ହେଉଛି । ଅନ୍ୟପଟେ କପା ଫସଲ ଚାଷୀଙ୍କ ମୁହଁରେ ହସ ଫୁଟାଇଛି । କପା ଚାଷୀ ଏବର୍ଷ ଲାଭବାନ ହୋଇଛି ସତ, କିନ୍ତୁ ସରକାର ଯଦି ଏଭଳି ଅର୍ଥକାରୀ ଫସଲ ପ୍ରତି ନିଜ ଆଡୁ ଆଗ୍ରହ ଦେଖାନ୍ତେ, ଚାଷୀଙ୍କୁ ପ୍ରୋତ୍ସାହନ ଦିଅନ୍ତେ, ମଣ୍ଡିର ସୁପରିଚାଳନା କରନ୍ତେ, ତେବେ କଳାହାଣ୍ଡିର କପା ଚାଷୀଙ୍କ ଭାଗ୍ୟ ବଦଳି ଯାଆନ୍ତା ।