ଚୀନରେ ପୁଣି କାଳ ହେଲାଣି କରୋନା ସଂକ୍ରମଣ: ୩ବର୍ଷ ପରେ ଉହାନ ସହରରେ ପଡିଲା ତାଲା

413

କନକ ବ୍ୟୁରୋ: ଏ ଘଟଣା ଜାଣିଲେ ଆପଣ ଯେତିକି ଆଶ୍ଚର୍ଯ୍ୟ ହେବେ ସେତିକି ବିଚଳିତ ମଧ୍ୟ ହୋଇପାରନ୍ତି କିନ୍ତୁ ଚୀନ ସରକାରଙ୍କ ପାଇଁ ଏହା କିଛି ନୂଆ କଥା ନୁହେଁ । କାରଣ ଦେଶରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଜିନପିଙ୍ଗ୍ ସରକାର ଜିରୋ ପଲିସି ପୁଣି ଥରେ ଜାରି କରିଛନ୍ତି । ଆପଣ ଦେଖି ପାରୁଥିବେ ରାସ୍ତା ଉପରେ କିଛି ରୋଗୀ ଛିଡା ହୋଇଛନ୍ତି । ଏମାନଙ୍କୁ ପାଇଁ ଆମ୍ବୁଲାନ୍ସ ବା ଅନ୍ୟ କୌଣସି ବ୍ୟବସ୍ଥା ନକରାଯାଇ କ୍ରେନ ସାହାଯ୍ୟରେ ଉଠାଇ ଏକ ଗାଡି ଭିତରକୁ ଅଣାଯାଉଛି ଓ ଏଠାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଉଛି । କରୋନା ଭୂତାଣୁ ଓମିକ୍ରନର ଦୁଇଟି ନୂଆ ପ୍ରଜାତି ସେଠରେ ସଂକ୍ରମଣକୁ ବୃ୍ଦ୍ଧି ହେବା ପରଠୁ ଅନେକ ନୂଆ କଟକଣା ଅଣାଯାଇଛି ।

ଜିନପିଙ୍ଗ ସରକାର କୋଭିଡ ସଂକ୍ରମଣକୁ ରୋକିବା ପାଇଁ ପୁଣି ଥରେ ଦେଶରେ ଜିରୋ କୋଭିଡ ପଲିସି ଲାଗୁ କରିଛନ୍ତି । ଯାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଦେଶ ଚୀନର ଅର୍ଥନୀତି ଉପରେ ମଧ୍ୟ ବିଶେଷ ପ୍ରଭାବ ପକାଉଛି ।

ଚୀନକୁ କଲବଲ କରୁଛି କରୋନା

• ଚୀନରେ ଓମିକ୍ରନର ଦୁଇଟି ନୂଆ ଉପପ୍ରଜାତିତ ଚିହ୍ନଟ ହୋଇଛି
• ୩ବର୍ଷ ପରେ ଉହାନରେ ପୁଣି ଲକଡାଉନ ଲାଗୁ ହୋଇଛି
• ସହରର ୮ଲକ୍ଷ ଲୋକଙ୍କୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଗୃହବନ୍ଦୀ ରଖାଯାଇଛି
• ୨୫ଟି ସହରରେ ଆଂଶିକ ଲକଡାଉନ କଟକଣା ଲାଗୁ ହୋଇଛି
• ୨ଶହ ସ୍ଥାନକୁ ହାଇ-ରିସ୍କ-ଜୋନ ଭାବେ ଘୋଷଣା କରାଯାଇଛି
• ତିବେତରେ ସବୁଠୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି
• ଶିକ୍ଷାନୁଷ୍ଠାନ ଓ ରେସ୍ତୋଁରାକୁ ବନ୍ଦ କରାଯାଇଛି
• ଆଇଫୋନର ସବୁଠୁ ବଡ କାରଖାନା ସହ ଜେନଗୁଜହୋର ସମସ୍ତ କାରଖାନା ବନ୍ଦ ରଖାଯାଇଛି
• ସାଂଘାଇ ଓ ବେଜିଂରେ ସଟଡାଉନ କଟକଣା ଲଗାଯାଇଛି
• ଅର୍ଥନୀତି ଭୁଷୁଡିବା ଯୋଗୁଁ ୨୦କୋଟି ୭୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି
• ଚୀନର ଜିଡିପି ୨.୬ ପ୍ରତିଶତ ତଳକୁ ଖସିଛି

ଅନ୍ୟପଟେ ଜିନପିଙ୍ଗ ସରକାରଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି । ଜିରୋ କୋଭିଡ ନୀତିକୁ ବିରୋଧ କରି ଶହ ଶହ ପ୍ରବାସୀ ଶ୍ରମିକ ଓ ସ୍ଥାନୀୟ ଲୋକ ଆନ୍ଦୋଳନକୁ ଓହ୍ଲାଇଲେଣି । ସରକାର ଯେଉଁ କଟକଣା ଲଗାଇଛନ୍ତି ଏହା ଦ୍ୱାରା ସେମାନଙ୍କ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହେବା ଭୋକ ଉପାସରେ ଦିନ କଟୁଥିବା ଅଭିଯୋଗ ହୋଇଛି ।

୨୦୧୯ ମସିହାରେ ପ୍ରଥମ ଥର ପାଇଁ ଚୀନର ଉହାନରୁ ଦୁନିଆର ପ୍ରଥମ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଅଢେଇବର୍ଷ ପରେ ପୁଣି ସେଠାରେ ସଂକ୍ରମଣ ବୃଦ୍ଧି ହେବା ଯୋଗୁଁ ଭୟର ବାତାବରଣ ଖେଳିଯାଇଛି । ସଂକ୍ରମଣକୁ ରୋକିବା ପାଇଁ ଜିନପିଙ୍ଗ ସରକାର ଜିରୋ କୋଭିଡ ନୀତି ଲାଗୁ କରିଛନ୍ତି ସତ କିନ୍ତୁ ଦେଶବାସୀଙ୍କୁ ମଧ୍ୟ ଅକଥନୀୟ ନିର୍ଯାତନା ସହିବାକୁ ପଡୁଛି ।