ଆରମ୍ଭ ହେଲା ରତ୍ନଭଣ୍ଡାର ଚାବି ଖୋଜା? ଜୁଲାଇ ୨୫ ତାରିଖ ଯାଏଁ ତଦନ୍ତ କମିଶନଙ୍କ ନିକଟରେ ଦାଖଲ ହେବ ସତ୍ୟପାଠ

34

କନକ ବ୍ୟୁରୋ : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜିଠାରୁ ବିଚାର ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ରତ୍ନଭଣ୍ଡାର ଚାବି ହଜିବା ପରେ ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ଏକ କମିଶନ ଗଠନ କରିଥିଲେ । ଯେଉଁଥିରେ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସ ଆଜି ଠାରୁ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି । କଟକ ସ୍ଥିତ କମିଶନଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଆଜିଠାରୁ ତଦନ୍ତ ପ୍ରକିୟା ଆରମ୍ଭ ହୋଇଛି । ଏହି ବିଚାର ବିଭାଗୀୟ ତଦନ୍ତ ଆସନ୍ତା ଜୁଲାଇ ୨୫ ତାରିଖ ଯାଏଁ ଚାଲିବ । ଏହି ସମୟ ମଧ୍ୟରେ ତଦନ୍ତ କମିଶନ ଅଧ୍ୟକ୍ଷଙ୍କ ନିକଟରେ ସତ୍ୟପାଠ ଦାଖଲ କରାଯିବ ।

ବାସ୍ତବରେ ଚାବି କେଉଁଆଡେ ଗାଏବ ହୋଇଗଲା, କାହା ସମୟରେ ଚାବି ହଜିଲା ଏବଂ ଏଥିପାଇଁ କିଏ ଦାୟୀ ସେ ବାବଦରେ ତଦନ୍ତ କରି ତିନିମାସ ମଧ୍ୟରେ ରିପୋର୍ଟ ଦେବେ ଜୁଡିସିଆଲ କମିସନ୍ । ଏହାଛଡ଼ା ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତି ନଘଟେ ତାହାର ରିପୋର୍ଟ ଦେବେ ତଦନ୍ତ କମିଶନ । ଗତ ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ଦିନ ଚାବି ନମିଳିବାରୁ ରତ୍ନଭଣ୍ଡାର ଖୋଲାଯାଇନଥିବା କଥା ପରିଚାଳନା ବୈଠକ ବିବରଣୀରେ ସ୍ପଷ୍ଟ କରାଯାଇଥିଲା। ଫଳରେ ଗ୍ରୀଲ ଦ୍ୱାର ବାଟେ ସର୍ଚ ଲାଇଟରେ ଭଣ୍ଡାର ଯାଂଚ ହୋଇଥିଲା । ଚାବି ନ ମିଳିବାରୁ ପରିଚାଳନା କମିଟିର ବିନା ଅନୁମତିରେ ଚାବି ଭାଙ୍ଗିବା ଠିକ୍ ନଥିଲା ବୋଲି ଭଣ୍ଡାର ଖୋଲିବା ସମୟରେ ସମସ୍ତ ସଭ୍ୟ ମତ ରଖି ଫେରିଆସିଥିବା ମନ୍ଦିର ପ୍ରଶାସକ ବୈଠକରେ କହିଥିଲେ । ପରେ ରତ୍ନଭଣ୍ଡାର ଚାବି ହଜିବା ନେଇ ଜଣା ପଡ଼ିବା ପରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ବିରୋଧୀ । ଏପରିକି ଏହି ଘଟଣା ପାଇଁ ସରକାରୀ ଦଳକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରାଯାଇଥିଲା । ସବୁ ଦୋଷ ସରକାରଙ୍କ ମୁଣ୍ଡରେ ବୋଳିଥିଲେ ବିରୋଧୀ । ତେଣୁ ଏହାର ବିଚାର ବିଭାଗୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ତିନି ମାସ ମଧ୍ୟରେ ଏହାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ଆଜି ଠାରୁ ଆରମ୍ଭ ହୋଇଛି ।