ସଜେଇ ହୋଇଛି ଗୁରୁପ୍ରିୟା ! ଉଦଘାଟନ ପାଇଁ ପ୍ରସ୍ତୁତ ହେଉଛି ବିଚ୍ଛିନ୍ନାଂଚଳର ବିକାଶର ସେତୁ, ଆରମ୍ଭ ହେଲା ଲୋଡ ଟେଷ୍ଟିଂ
କନକ ବ୍ୟୁରୋ: ଆଉ ଦିନ କେଇଟାର ଅପେକ୍ଷା । ଆନୁଷ୍ଠାନିକ ଭାବେ ଗୁରୁପ୍ରିୟା ସେତୁକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁଲାଇ ପହିଲାରେ ଗୁରୁପ୍ରିୟା ସେତୁ ଉଦଘାଟନ ଲାଗି ଶୁଣାଯିବା ପରେ ପ୍ରସ୍ତୁତି ଯୋର ଧରିଛି । ସେପଟେ କେନ୍ଦ୍ର ସି.ଆର.ଆର.ଆଇ ର ରିପୋର୍ଟକୁ ଅପେକ୍ଷା କରାଯାଇଛି । ହେଲେ ଏହାରି ଭିତରେ ସି.ଆର.ଆର. ଆଇର ସୁପାରିଶ ମୁତାବକ ଏକ ଷ୍ଟିଲ ଗାଡାର ଉପରେ ଶେଷ ଲୋଡ ଟେଷ୍ଟ କରିଛି ପୂର୍ତ ବିଭାଗ । ବିଚ୍ଛିନ୍ନାଂଚଳକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗୁରୁପ୍ରିୟା ସେତୁ ଉପରେ ସୁରକ୍ଷା ବ୍ୟବସ୍ଥାକୁ ଦ୍ୱିଗୁଣିତ କରାଯାଇଛି । ପଢନ୍ତୁ କନକ ନ୍ୟୁଜର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏ ହେଉଛି ଆକାଶ ମାର୍ଗରୁ ଗୁରୁପ୍ରାୟାର ଚିତ୍ର । ଦିନରେ ଯେତିକି ମନୋରମ, ରାତିରେ ସେତିକି ରଙ୍ଗୀନ ଦିଶୁଛି ଗୁରୁପ୍ରିୟା ସେତୁ । ଜଳ ଓ ସ୍ଥଳ ପଥରେ ସେତୁକୁ ସୁରକ୍ଷା ଯୋଗାଉଛନ୍ତି ବି.ଏସ.ଏଫ ଯବାନ । ଶୁଣାଯାଉଛି ଜୁଲାଇ ପହିଲାରେ ଗୁରୁପ୍ରୀୟା ସେତୁ ଉଦଘାଟନ ହୋଇପାରେ । ଏଥିପାଇଁ ଗୁରୁପ୍ରିୟାକୁ ପ୍ରସ୍ତୁତ କରାଉଛି ପୂର୍ତ ବିଭାଗ । ସି.ଆର.ଆର.ଆଇର ରିପୋର୍ଟକୁ ଅପେକ୍ଷା କରିଥିବା ପୂର୍ତ ବିଭାଗ କେନ୍ଦ୍ର ରାସ୍ତା ଗବେଷଣା କେନ୍ଦ୍ରର ସୁପାରିଶ କ୍ରମେ ଷ୍ଟିଲ ଗାଡାର ଉପରେ ଲୋଡ ଟେଷ୍ଟ ଜାରି ରଖିଛି । ଷ୍ଟିଲ ଗାଡାର ଟେଷ୍ଟ ରିପୋର୍ଟ ପାଇବା ପରେ ସି.ଆର.ଆର.ଆଇ ଗୁରୁପ୍ରିୟା ସେତୁକୁ ସବୁଜ ସଙ୍କେତ ଦେବ ବୋଲି ଆଶା କରିଛି ପୂର୍ତ ବିଭାଗ । ସେପଟେ ସେତୁ ନିର୍ମାଣ କାମ ଶତ ପ୍ରତିଶତ ଶେଷ ହୋଇଥିବା କହିଛନ୍ତି ପୋଲ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥାର କର୍ତୃପକ୍ଷ ।
ମୁଖ୍ୟମନ୍ତ୍ରୀଙ୍କ ଦଫତରୁ ଆସିଥିବା ଇଭେନ୍ଟ ମ୍ୟାନେଜମେଂଟ ଟିମ୍ ଗୁରୁପ୍ରିୟା ଓ ଏହାର ଆଖପାଖ ଅଂଚଳ ତଦାରଖ କରି ଫେରିଛନ୍ତି । ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଘଟଣାସ୍ଥଳରେ ଉପସ୍ଥିତ ରହି ପୁରା ବ୍ୟବସ୍ଥାର ତଦାରଖ କରିଛନ୍ତି । ଗୁରୁପ୍ରିୟା ସେତୁ ଉଦଘାଟନ ହେବା ପରେ ବିଚ୍ଛିନ୍ନାଂଚଳରେ କିଭଳି ସରକାରୀ ଯୋଜନା ପହଁଚିବ ସେ ଦିଗରେ ସରକାରଙ୍କ ପ୍ରଥମିକତା ଦିଅନ୍ତୁ ବୋଲି କହିଛନ୍ତି ସାଂସଦ ବଳଭଦ୍ର ମାଝୀ ।ସେପଟେ ଗୁରୁପ୍ରିୟା ସେତୁ ନିର୍ମାଣ କାମ ଶେଷ ହୋଇ ଥିବାରୁ ବର୍ଷବର୍ଷ ଧରି ବିକାଶକୁ ଅପେକ୍ଷା କରିଥିବା ବିଚ୍ଛିନ୍ନାଂଚଳବାସୀଙ୍କ ମଧ୍ୟରେ ଉକ୍ରଣ୍ଠା ମଧ୍ୟ ବଢିବା ସହ ରାଜନୈତିକ ଦଳମାନଙ୍କ ମଧ୍ୟରେ ଉଷ୍ମତା ବଢିବାରେ ଲାଗିଛି ।