୪ ଦିନ ହେଲାଣି ଗୁମ୍ଫାରେ ଫସି ରହିଛନ୍ତି ୧୨ଜଣ ଛୁଆ ! ୧୦୦୦ ରୁ ଅଧିକ ଲୋକ କରୁଛନ୍ତି ଉଦ୍ଧାର, ବର୍ଷା ସାଜୁଛି ବାଧକ ।

55

ଉତ୍ତର ଥାଇଲାଣ୍ଡର ଏକ ଗୁମ୍ଫାରେ ୧୨ଜଣ କନିଷ୍ଠ ଫୁଟବଲ ଖେଳାଳୀ ଏବଂ ସେମାନଙ୍କର କୋଚ ଦୀର୍ଘ ୪ ଦିନରୁ ଅଧିକ ହେବ ଫସି ରହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ସହ କୌଣସି ସମ୍ପର୍କ କିମ୍ବା ଯୋଗାଯୋଗ ହୋଇପାରୁନାହିଁ । ସେମାନଙ୍କ ପରିବାରବର୍ଗ ଚିନ୍ତାରେ ରହିଥିବା ବେଳେ ଭଗବାନଙ୍କୁ ହିଁ ଏବେ ଏକମାତ୍ରା ସାହାରା ମାନି ନେଇଛନ୍ତି । ତେବେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସୈନିକମାନଙ୍କ ସହ ୧ ହଜାର ଲୋକଙ୍କୁ ନିୟୋଜିତ କରାଯାଇଛି । ବର୍ଷା ବାଧକ ସାଜୁଥିବାରୁ ଉଦ୍ଧାର କାର୍ଯ୍ୟରେ ଅନେକ ବାଧା ଉପୁଜୁଛି ।

ଶନିବାର ଦିନ ଚିୟାଙ୍ଗ ରାଇରେ ଥାମ୍ ଲୁଆଂଗ ଗୁମ୍ଫାର ପ୍ରବେଶ ଦ୍ୱାର ପାଖରେ ଖେଳାଳୀ ମାନଙ୍କର ସାଇକେଲ, ଜୋତା ଏବଂ ଅନ୍ୟ କେତେକ ସାମଗ୍ରୀ ମିଳିଥିଲା । ତେବେ ସେମାନେ ଗୁମ୍ଫା ଭିତରେ ଫସି ରହିଥିବା ଜଣାପଡିଛି । ଏହି ଟିମରେ ୧୨ଜଣ ଖେଳାଳୀଙ୍କ ବୟସ ୧୧ରୁ ୧୬ ବର୍ଷ ମଧ୍ୟରେ ରହିଛି । ସେମାନେ ସମସ୍ତେ ଯୁବ ଫୁଟବଲ୍ ଦଳର ସଦସ୍ୟ ବୋଲି ଜଣାପଡିଛି । ଏବଂ ସେମାନେ ନିଜର ୨୫ ବର୍ଷୀୟ କୋଚଙ୍କ ସହ ଗୁମ୍ଫାକୁ ଯାଇଥିଲେ ।

ଉଦ୍ଧାରକାର୍ଯ୍ୟ ଟିମର ପ୍ରବକ୍ତା ରୁଏତେବାନ୍ ପେତିସେନ୍ କହିଛନ୍ତି ଯେ, ତାଙ୍କୁ ବିଶ୍ୱାସ ରହିଛି ଗୁମ୍ଫାରେ ନିଖୋଜ ଥିବା ସମସ୍ତ ବ୍ୟକ୍ତି ଏବେ ବି ଜୀବିତ ଅଛନ୍ତି । ତେବେ ଥାଇଲାଣ୍ଡ ସେନାର ଉଚ୍ଚସ୍ତରୀୟ ଟିମ ଉନ୍ନତଧରଣର ଉପକରଣ ସହ ଖେଳାଳୀ ଏବଂ କୋଚଙ୍କୁ ଖୋଜୁଛି । ତେବେ ଉଦ୍ଧାରକାରୀ ଦଳର କହିବା ଅନୁଯାୟୀ, ବର୍ଷା କାରଣରୁ ଗୁମ୍ଫା ଭିତରକୁ ଯିବାର ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି । ଏବେ ପାଣି ଜମା ହୋଇଯିବା କାରଣରୁ ସେମାନେ ବାହାରକୁ ଆସିପାରୁନାହାନ୍ତି ।