ପଡ଼ୋଶୀ ଦେଶରେ ବଢ଼ୁଛି ସଂକ୍ରମଣ : ଦକ୍ଷିଣ ପୂର୍ବ ଏସିଆର ବିଭିନ୍ନ ଦେଶରେ ସଂକ୍ରମଣ ଏବେ ବଢ଼ାଇଛି ଚିନ୍ତା; ଜାଣନ୍ତୁ କେଉଁଠି ବଢୁଛି ସଂକ୍ରମଣ ?

390

କନକ ବ୍ୟୁରୋ : ଭାରତରେ କରୋନାର ଦ୍ୱିତୀୟ ଲହରର ପ୍ରଭାବ କମୁଥିବା ଦେଖାଯାଉଥିବା ବେଳେ ଦକ୍ଷିଣ ପୂର୍ବ ଏସିଆରେ ସଂକ୍ରମଣ ବଢ଼ି ଚାଲିଛି । ବିଶେଷ କରି ଭାରତର କେତୋଟି ପାଖାପାଖି ଦେଶରେ ସଂକ୍ରମଣ ବଢ଼ୁଥିବାର ଖବର ସାମ୍ନାକୁ ଆସିଛି । ପାକିସ୍ତାନ ଓ ବାଂଲାଦେଶରେ ପୂର୍ବ ଅପେକ୍ଷା ସଂକ୍ରମଣ ବଢ଼ିଛି । ସେହିପରି ଇଣ୍ଡୋନେସିଆ, ମାଲେସିଆ, ଭିଏତନାମ, ଥାଇଲାଣ୍ଡରେ ମଧ୍ୟ ସଂକ୍ରମଣର ଅଧିକ ମାମଲା ଚିହ୍ନଟ ହୋଇଛି ।

ଏପରିକି ବିଶ୍ୱର ସବୁଠୁ ଅଧିକ ଦୈନିକ ସଂକ୍ରମଣ ମାମଲାରେ ଇଣ୍ଡୋନେସିଆ ୩ଟି ଦେଶ ମଧ୍ୟରେ ରହୁଛି । ଏବେ ସେଠାରେ ଦିନକୁ ପ୍ରାୟ ୫୦ ହଜାର ମାମଲା ଚିହ୍ନଟ ହୋଇଛି । ଇଣ୍ଡୋନେସିଆ ଏବେ ଏସିଆର ସଂକ୍ରମଣ ସ୍ପଟ ପାଲଟିଛି । ୧୫ ଜୁଲାଇରେ ଇଣ୍ଡୋନେସିଆରେ ୫୬ ହଜାର ମାମଲା ଚିହ୍ନଟ ହୋଇଥିବା ବେଳେ ମାଲେସିଆରେ ୧୩ ହଜାର, ଥାଇଲାଣ୍ଡରେ ୧୦ ହଜାର, ଭିଏତନାମରେ ୩ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଇଣ୍ଡୋନେସିଆରେ ଏବେ ଆକ୍ଟିଭ କେସ୍ ୫ ଲକ୍ଷ ୪ ହଜାର । ବାଂଲାଦେଶରେ ଏବେ ଆକ୍ଟିଭ କେସ୍ ୧ ଲକ୍ଷ ୫୨ ହଜାର ଥିବା ବେଳେ ପାକିସ୍ତାନରେ ୪୬ ହଜାର, ମାଲେସିଆରେ ୧ ଲକ୍ଷ ୧୪ ହଜାର ଆକ୍ଟିଭ କେସ୍ ରହିଛି । ଥାଇଲାଣ୍ଡରେ ଏବେ ଆକ୍ଟିଭ କେସ୍ ୧ ଲକ୍ଷ ୧୧ ହଜର ଥିବା ବେଳେ ଭିଏତନାମରେ ଆକ୍ଟିଭ କେସ୍ ୩୬ ହଜାର ସକ୍ରିୟ ମାମଲା ରହିଛି ।

ସେହିପରି ଦକ୍ଷିଣ କୋରିଆରେ ଅଧିକ ମାମଲା ଆସିବା ପରେ କଟକଣା ବଢ଼ାଇ ଦେଇଛନ୍ତି ସେଠାକାର ସରକାର । ବିଶ୍ୱରେ ମଧ୍ୟ ଦୈନିକ ସଂକ୍ରମଣ ଜୁନ୍ ମାସ ଅପେକ୍ଷା ଅଧିକ ରହିଛି । ଜୁନ୍ ୨୧ରେ ବିଶ୍ୱରେ ହାରାହାରି ଦୈନିକ ସଂକ୍ରମଣ ୩ ଲକ୍ଷ ୫୯ ହଜାର ଥିଲା । ତେବେ ଜୁଲାଇ ୧୪କୁ ଏହି ସଂକ୍ରମଣ ବଢ଼ି ୪ ଲକ୍ଷ ୬୩ ହଜାରରେ ପହଂଚିଛି । କରୋନାର ବିପଦ ଟଳିନାହିଁ ଓ ସତର୍କ ରହିବାକୁ ପଡ଼ିବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।