କନକ ବ୍ୟୁରୋ : ୨୦୧୮ ମସିହାରେ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମୃତ୍ୟୁ ମାମଲା ଏବେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଅଡୁଆ ବଢାଇଛି । ଆଜି ପୁଣିଥରେ ପଶ୍ଚିମବଙ୍ଗ ସିଆଇଡି ତରଫରୁ ରାଜ୍ୟ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାସଭବନରେ ଚଢାଉ କରିଛି । କହିରଖୁକି, ଏହା ପୂର୍ବରୁ ବୁଧବାର ଦିନ ବି ସିଆଇଡିର ଏକ ଟିମ୍ ଶୁଭେନ୍ଦୁ ଅଧିକାରୀଙ୍କ ବାସଭବନରେ ପହଂଚି ଯାଂଚ କରିଥିଲା । ହେଲେ ସେତେବେଳେ ଶୁଭେନ୍ଦୁ ସେଠାରେ ନଥିଲେ । ସିଆଇଡିର ଟିମ୍ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ତଥା ସାଂସଦ ଦିବ୍ୟନ୍ଦୁ ଅଧିକାରୀଙ୍କ ସହ କଥା ହୋଇ ଫେରିଥିଲେ ।

Advertisment

କହିରଖୁ କି ୨୦୧୮ ମସିହାରେ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ମୃତଦେହ ସିନ୍ଦିଗ୍ଧ ଅବସ୍ଥାରେ ଏକ ଘର ଭିତରୁ ମିଳିଥିଲା । ସେତେବେଳେ ଏହାକୁ ଆତ୍ମହତ୍ୟା କହି ମାମଲା ରଫା ଦଫା କରାଯାଇଥିଲା । ହେଲେ କିଛିଦିନ ତଳେ ମୃତ ସୁରକ୍ଷାକର୍ମୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ । ଏହାପରେ ପୋଲିସ ଏହି ମାମଲାକୁ ପୁଣି ଥରେ ଯାଂଚ ପରିସରଭୂକ୍ତ କରିଥିଲା ।

ସୂଚନା ଥାଉକି ୨୦୧୮ ମସିହା ଅକ୍ଟୋବର ୧୩ ତାରିଖରେ ପୂର୍ବ ମେଦିନା ପୁର ଜିଲ୍ଲାର ଏକ ଭଡାଘରୁ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଶୁଭାବ୍ରତଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ କୋଲକତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ତାପର ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ସେହି ସମୟରେ ଶୁଭେନ୍ଦୁ ରାଜ୍ୟ ପରିବହନ ବିଭାଗର ମନ୍ତ୍ରୀ ଥିଲେ ।

ଏହି ମାମଲାକୁ ନେଇ କିଛିଦିନ ତଳେ ଶୁଭେନ୍ଦୁ କହିଥିଲେ କି ଏବେ ଏହି ମାମଲାକୁ ରାଜନୀତି ପ୍ରଣୋଦିତ । ଏହି ମାମଲା ୨ ବର୍ଷ ତଳୁ ସମାଧାନ ହୋଇ ସାରିଥିôବା ବେଳେ ଏବେ ଏହାକୁ ନେଇ କାହିଁକି ଖୋଳତାଡ କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ ।