ଯୁବକଙ୍କୁ କାମୁଡ଼ିଲା ସାପ : ହସ୍ପିଟାଲକୁ ନେବା ବଦଳରେ ମନ୍ଦିରରେ ଚାଲିଲା ଝଡ଼ାଫୁଙ୍କା; ପାଣି ଢ଼ାଳି ଢ଼ାଳି ଶୁଖିଗଲା କୂଅ ହେଲେ କମିଲାନି ବିଷର ପ୍ରଭାବ

414

କନକ ବ୍ୟୁରୋ : ଯୁବକଙ୍କୁ କାମୁଡିଲା ସାପ । ହସ୍ପିଟାଲ ନେବା ପରିବର୍ତ୍ତେ ମନ୍ଦିରରେ ଚାଲିଲା ଝଡାଫୁଙ୍କା । ଏଭଳି ଏକ ସମ୍ବେଦନଶୀଳ ଚିତ୍ର ସାମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲା ବଣିଆ ଟାଙ୍ଗୀ ଅଞ୍ଚଳରୁ । ୧୮ ବର୍ଷର ଯୁବକ ଲିପୁ ନାୟକଙ୍କୁ ଏକ ତମ୍ପ ସାପ କାମୁଡି ଦେଇଥିଲା । ସାପଟି ଗୋଡକୁ କାମୁଡିବା ପରେ ଜୋରରେ ଛାଟି ଦେଇଥିଲେ ଲିପୁ । ହେଲେ ତାହା ଏକ ତମ୍ପ ସାପ ବୋଲି ଚିହ୍ନି ନେଇଥିଲେ । ଭୟରେ ପ୍ରାୟ ଅଧ କିଲୋମିଟର ଦୌଡିଦୌଡି ଆସି ଘରେ ପହଞ୍ଚିଗଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯୁବକଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ, ଗାଁ ମନ୍ଦିରକୁ ନେଇ ଝଡାଫୁଙ୍କା କରିଥିଲେ ପରିବାର ଲୋକ ।

ଯୁବକଙ୍କ ମୁଣ୍ଡରେ ପାଣି ଆଣି ଢାଳି ଚାଲିଥିଲେ ମନ୍ଦିର ପୂଜକ । ତେବେ ଏହିଭଳି ପାଣି ଢାଳି ଢାଳି ମନ୍ଦିରର କୂଅ ଶୁଖି ଯାଇଥିଲା । ସେପଟେ ଶୀତରେ ଥରିବାକୁ ଲାଗିଲେ ଲିପୁ । ଆଉ ଶେଷରେ ତାଙ୍କୁ ଘରକୁ ନେଇଯିବାକୁ କହିଥିଲେ ମନ୍ଦିରର ପୂଜାରୀ । ଘରକୁ ଫେରିବା ପରେ ଲିପୁଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡିବାରେ ଲାଗିଲା । ତେଣୁ ଘର ଲୋକ ବାଧ୍ୟ ହୋଇ ଲିପୁଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ । ଲିପୁ ଏବେ ଧିରେଧିରେ ବିପଦମୁକ୍ତ ହେଉଛନ୍ତି । କିନ୍ତୁ କ୍ୟାପିଟାଲ ହସ୍ପିଟାଲରେ ଲିପୁଙ୍କୁ ୨୦ ଭାଏଲ ଆଣ୍ଟି ଭେନମ ଇଞ୍ଜେକ୍ସନ୍ ଦିଆଯାଇ ସାରିଥିବା ଜଣାପଡିଛି ।