ଟୋକିଓରେ ଲେଖାହେଲା ନୂଆ ଇତିହାସ । ୪୧ ବର୍ଷ ପରେ ଖୁସି ଆଣିଦେଲା ଶେଷ ୬ ସେକେଣ୍ଡର ଚମକପ୍ରଦ ହକି । ଜର୍ମାନୀକୁ ମାତ୍ ଦେଇ ବ୍ରୋଞ୍ଜ ଜିତିଲା ଟିମ୍ ଇଣ୍ଡିଆ । 

313

କନକ ବ୍ୟୁରୋ : ଯାହାକୁ ୪୧ ବର୍ଷ ଧରି ଚାହିଁ ରହିଥିଲେ ଦେଢ଼ ଶହ କୋଟି ଭାରତୀୟ । ଟୋକିଓ ଅଲିମ୍ପିକ୍ସରେ ବ୍ରୋଂଜ ପଦକ ହାସଲ କରି ନୂଆ ଇତିହାସ ରଚିଛି ଭାରତ । ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ୪ ଦଶନ୍ଧି ଧରି ଜାତୀୟ ଖେଳ ହକିରେ ପଦକ ପାଇବାକୁ ସମର୍ଥ ହୋଇନଥିଲା ଦେଶ । ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ବେଲଜିୟମ ଠାରୁ ହାରିଯିବା ପରେ ଆଜି ବ୍ରୋଞ୍ଜ ମେଡାଲ ପାଇଁ ଜର୍ମାନୀ ସହ ମୁକାବିଲା କରିଥିଲା ଭାରତ । ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚରେ ଭରା ଏହି ମ୍ୟାଚକୁ ୫-୪ ଗୋଲରେ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ ।

୪୧ ବର୍ଷ ଧରି କୋଟି କୋଟି ଭାରତୀୟ ଯେଉଁ ସ୍ୱପ୍ନ ଦେଖି ଆସୁଥିଲେ, ତାହା ଯେତେବେଳେ ବାସ୍ତବର ରୂପ ନେଇଥିଲା, ଭାରତୀୟ ହକି ଦଳ ଅଧିନାୟକ ମନପ୍ରୀତ ସିଂଙ୍କ ଆଖିରୁ ଖୁସିରେ ଲୁହ ଝରିଆସିଥିଲା । ଟୋକିଓ ପଡିଆରେ ଭାରତୀୟ ଖେଳାଳି ଉତ୍ସବ ମନାଉଥିବା ବେଳେ ଜର୍ମାନୀ ଶିବିରରେ ନିରାଶା ଖେଳି ଯାଇଥିଲା । ବ୍ରୋଞ୍ଜ ବିଜୟ ପରେ ଗୋଲକିପର ପିଆର ଶ୍ରୀଜେଶ, ଆନନ୍ଦରେ ଏପରି ଅଧୀର ହୋଇଥିଲେ ଯେ ଗୋଲ ପୋଷ୍ଟ ଉପରେ ବସି ପଡିଥିବା ଦେଖିବାକୁ ମିଳିଥିଲା ।

କ୍ରିକେଟକୁ ଏକ ଧର୍ମ ଭାବେ ଗ୍ରହଣ କରିଥିବା ଭାରତୀୟଙ୍କ ଆଭିମୁଖ୍ୟ ଆଜି ବଦଳି ଯାଇଥିଲା । ଅଲିମ୍ପିକ୍ସ ହକି ବ୍ରୋଂଜ ମେଡାଲ ପାଇଁ ଜର୍ମାନୀ ସହ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଓହ୍ଲାଇଥିଲା ଭାରତ । ଆଉ ସକାଳ ୭ଟାରୁ ଟିଭି ଲଗାଇ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ବନିଥିଲେ ଦେଶର କୋଟି କୋଟି ଜନତା । ଖେଳ ଆଗକୁ ବଢ଼ୁଥିଲା, ଭାରତୀୟଙ୍କ ହୃତସ୍ପନ୍ଦନର ଗତି କ୍ଷିପ୍ର ହେଉଥିଲା । ଖେଳର ମାତ୍ର ୨ ମିନିଟରେ ଭାରତକୁ ଜର୍ମାନୀ ଗୋଲ ଦେବା ପରେ ନିର୍ବାକ ହୋଇ ପଡିଥିଲେ ଭାରତୀୟ ହକିପ୍ରେମୀ । ତେବେ ଦଳର ଲଢୁଆ ପ୍ରଦର୍ଶନ, ଲୋକଙ୍କ ମନରେ ଆଶା ଭରି ଦେଇଥିଲା । ୧୭ ମିନିଟରେ ଭାରତ ଗୋଲ ଦେଇ ମ୍ୟାଚକୁ ସମାନ ସ୍ଥିତିକୁ ନେଇଥିଲା । ଦ୍ୱିତୀୟ କ୍ୱାଟରରେ ୨ଟି ଲଗାତର ଗୋଲ ଦେଇ ୩-୧ରେ ଆଗୁଆ ହୋଇ ଯାଇଥିଲା ଜର୍ମାନୀ ।

ଦ୍ୱିତୀୟ କ୍ୱାଟରର ଶେଷ କିଛି ମିନିଟ୍ ଓ ତୃତୀୟ କ୍ୱାଟରରେ ପ୍ରଭାବଶାଳୀ ପ୍ରଦର୍ଶନ କରି ୪-୩ରେ ଲିଡ ନେଇଥିଲା ଭାରତ । ଶେଷ କ୍ୱାଟରର ୧୫ ମିନିଟ ଏପରି ରୋମାଂଚକର ଥିଲା ଯେ ପ୍ରତ୍ୟେକ ଭାରତୀୟ ହୃଦୟର ଗତି ବଢ଼ି ଯାଇଥିଲା । ୫-୪ ଗୋଲରେ ଭାରତ ବିଜୟର ଦ୍ୱାର ଦେଶରେ ପହଁଚି ଯାଇଥିଲା । ହେଲେ ପ୍ରତ୍ୟେକ ମୁହୂର୍ତ ଥିଲା ଗୁରୁତ୍ୱପୂର୍ଣ୍ଣ । ବିଜୟ ଠାରୁ ମାତ୍ର ୬ ସେକେଣ୍ଡ ଦୂରତାରେ ଥିଲା ଭାରତ । ଆଉ ଏହି ସମୟରେ ଜର୍ମାନୀକୁ ମିଳିଲା ପେନାଲଟି କର୍ଣ୍ଣର । ଏହା ଯଦି ଗୋଲରେ ରୂପାନ୍ତରିତ ହୋଇଥାନ୍ତା, ତେବେ ପେନାଲ ସୁଟଆଉଟରେ ମ୍ୟାଚର ଭାଗ୍ୟ ନିର୍ଦ୍ଧାରିତ ହୋଇଥାନ୍ତା । ହେଲେ ଗୋଲକିପର ପିଆର ଶ୍ରୀଜେଶ ଭାରତ-ଜର୍ମାନୀ ମଧ୍ୟରେ ପାଚେରୀ ଭଳି ଛିଡା ହୋଇଥିଲେ । ତାଙ୍କର ଚମତ୍କାର ଗୋଲ ରକ୍ଷଣ ଭାରତକୁ ବହୁ ପ୍ରତୀକ୍ଷିତ ଓ ଐତିହାସିକ ବିଜୟ ଆଣି ଦେଇଥିଲା ।

ବିଜୟର ବଡ଼ ଶ୍ରେୟ ଯାଇଥିଲା ଶ୍ରୀଜେଶଙ୍କ ନିକଟକୁ । ଭାରତର ଫରୱାର୍ଡ ଖେଳାଳିଙ୍କ ଠାରୁ ଆରମ୍ଭ କରି ରକ୍ଷଣ ଭାଗ ପର୍ଯ୍ୟନ୍ତ, ସମସ୍ତଙ୍କ ପ୍ରଦର୍ଶନ ଥିଲା ଅତୁଳନୀୟ । ସତେଯେମିତି ଏହି ମ୍ୟାଚ ପାଇଁ ସବୁ ଯାକ ଶକ୍ତି ସାଇତି ରଖିଥିଲା ଭାରତୀୟ ଦଳ । ବିଜୟ ପରେ ଉତ୍ସବ ମୁଖର ହୋଇ ଯାଇଥିଲା ଟୋକିଓ ଗ୍ରାଉଣ୍ଡ । ସାରା ଭାରତରେ ଉତ୍ସବ ମନାଇଥିଲେ ଦେଶବାସୀ ।

ଆଉ ଏହି ବିଜୟ ଓଡ଼ିଶା ପାଇଁ ମଧ୍ୟ ବଡ଼ ଗୌରବ ଆଣିଦେଇଛି । ପ୍ରଥମ ଥର ପାଇଁ ଦୁଇ ଓଡ଼ିଆ ଖେଳାଳି ଅଲିମ୍ପିକ୍ସରେ ମେଡାଲ ଜିତିଛନ୍ତି । ଦଳଗତ ଇଭେଣ୍ଟରେ ବ୍ରୋଂଜ ପଦକ ପାଇ ଇତିହାସ ରଚିଥିବା ଏହି ଖେଳାଳି ହେଉଛନ୍ତି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସ । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଉଭୟ ଖେଳାଳି ଅଢ଼େଇ କୋଟି ଲେଖାଏଁ ପୁରସ୍କାର ଜିତିବାକୁ ହକଦାର ହୋଇଛନ୍ତି ।