ସକାଳୁ ସକାଳୁ ସାରା ଦେଶରେ ଖେଳିଗଲା ଶିହରଣ । ହକି ଦଳ ମେଡାଲ ଜିତିବା ପରେ ଖୁସିରେ ଝୁମିଲା ଦେଶ । ଦୁଇ ଓଡ଼ିଆ ଖେଳାଳିଙ୍କ ପରିବାରକୁ ନବୀନ ନିବାସକୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ।

277

କନକ ବ୍ୟୁରୋ : ହକିରେ ହଜି ଯାଇଥିବା ଗୌରବକୁ ପୁଣିଥରେ ଫେରିପାଇଛି ଭାରତ । ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇବା ପରେ ସାରା ଦେଶରୁ ଛୁଟିଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ମନପ୍ରୀତ ସିଂହଙ୍କ ନେତୃତ୍ୱରେ ବିଜୟୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ହକି ଦଳର ଏହି ସଫଳତା ପରେ ଦେଶବାସୀ ଉତ୍ସବମୁଖର ହୋଇ ଉଠିଛନ୍ତି । ଆସନ୍ତା ୧୬ ତାରିଖରେ ଏହି ବିଜୟୀ ଦଳକୁ ଓଡ଼ିଶାରେ ସମ୍ବର୍ଦ୍ଧିତ କରିବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଖୁସିରେ ଝୁମୁଛି ଭାରତ । କେଉଁଠି ଅଦିନିଆ ଦୀପାବଳି, ତ ଆଉ କେଉଁଠି ନାଚଗୀତର ଆସର । ମଣିପୁରରୁ ପଞ୍ଜାବ, ଜମ୍ମୁ-କାଶ୍ମୀରରୁ ତାମିଲନାଡୁ । ସବୁଠି ସମାନ ଉତ୍ସାହ, ସବୁଠି ଭାରତର ଜୟଗାନ । ଜାତୀୟ ଖେଳ ହକିରେ ମେଡାଲ ପାଇଁ ବର୍ଷ ବର୍ଷର ଅପେକ୍ଷାର ଅନ୍ତ ହେବା ପରେ ଖୁସିରେ ଝୁମି ଉଠିଛି ସାରା ଭାରତ ।

କ୍ରିକେଟ୍ ପ୍ରିୟ ଭାରତର ମୁଡ୍ ଅଚାନକ୍ ବଦଳିଯାଇଥିଲା । ସକାଳୁ ସକାଳୁ ଟିଭି ପରଦା ଖୋଲି ଟୋକିଓ ଆଡକୁ ଚାହିଁ ରହିଥିଲା ସାରା ଦେଶ । ଟୋକିଓରେ ଖେଳୁଥିବା ଖେଳାଳିଙ୍କ ଘର କୁହନ୍ତୁ ବା ହକିରେ ଭାରତର ଗୌରବ ଦେଖୁଥିବା ସମର୍ଥକ କୁହନ୍ତୁ । ସମସ୍ତେ ଭାରତର ବିଜୟକୁ ଚାହିଁ ରହିଥିଲେ । ଆଉ ସେଇଆ ହିଁ ହେଲା, ଯାହା ଭାରତ ଚାହୁଁଥିଲା ।

ଭାରତର ସଫଳତାରେ ଥିଲା ଦୁଇ ଓଡ଼ିଆ ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କ ଅତୁଳନୀୟ ଅବଦାନ । ଏହି ଦୁଇ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ନିବାସ ଆମନ୍ତ୍ରଣ କରିବା ସହ ପରିବାର ସଦସ୍ୟଙ୍କ ସହିତ କଥା ହୋଇଛନ୍ତି । ଖେଳାଳୀଙ୍କ ସହ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣଙ୍କ ପୁଅ ପାଇଁ ଓଡ଼ିଶା ସହ ସାରା ଦେଶ ଗର୍ବିତ ।

କେବଳ ସେତିକି ନୁହେଁ ଆସନ୍ତା ୧୬ ତାରିଖରେ ଟିମ୍ ଇଣ୍ଡିଆକୁ ଓଡ଼ିଶାରେ ଏକ ବଡ଼ ଧରଣର ଉତ୍ସବରେ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା । ଏପଟେ ଭାରତର ବିଜୟ ପରେ ହକି ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ହକି ଦଳର ଅଧିନାୟକ ମନପ୍ରୀତ ସିଂଙ୍କ ସହ ମୁଖ୍ୟ କୋଚ ଓ ସହଯୋଗୀ କୋଚଙ୍କ ସହ କଥା ହୋଇଛନ୍ତି ନରେନ୍ଦ୍ର ମୋଦି । ଭାରତୀୟ ହକି ଟିମ୍ ଅଲିମ୍ପିକ୍ସରେ ବ୍ରୋଂଜ ମେଡାଲ ଆଣିଛି ସତ, କିନ୍ତୁ ଭାରତର ଉତ୍ସାହ ଗୋଲ୍ଡର ସଫଳତାଠାରୁ କୌଣସି ଗୁଣରେ କମ୍ ନୁହେଁ । କାରଣ, ୪୧ ବର୍ଷ ପରେ ଜାତୀୟ ଖେଳରେ ସବୁଠୁ ଗୌରବ ଆଣିଛି ଭାରତୀୟ ଦଳ ।