ଋଷରୁ ଭାରତ ଅଶୋଧିତ ତୈଳ କିଣିବା ପ୍ରସଙ୍ଗ: ଆମେରିକା କହିଲା, ଇତିହାସରେ ଲେଖାହେବ ଯୁଦ୍ଧ ବେଳେ ଭାରତର କଣ ଥିଲା ଆଭିମୁଖ୍ୟ

346

କନକ ବ୍ୟୁରୋ: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ରହିଛି ଯୁଦ୍ଧ । ପଡୋଶୀ ଦେଶ ଉପରେ ରାଷ୍ଟ୍ରପତି ପୁଟିନ୍ଙ୍କ ଅତ୍ୟାଚାର ଦେଖି ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ର ରୁଷିଆ ବିରୋଧରେ ବିଭିନ୍ନ କଟକଣା ଲଗାଉଛନ୍ତି । ରୁଷିଆ ପାଖରୁ ତେଲ, ଗ୍ୟାସ ଓ କୋଇଲା କିଣିବା ଉପରେ ଆମେରିକା ପ୍ରତିବନ୍ଧକ ଲଗାଇବା ପରେ ରୁଷ ଭାରତକୁ ରିହାତି ଦରରେ ଅଶୋଧିତ ତେଲ କିଣିବାକୁ ପ୍ରସ୍ତାବ ଦେଇଥିଲା । ଆଉ ଭାରତ ସରକାର ବି ରୁଷିଆର ଏହି ପ୍ରସ୍ତାବକୁ ଗ୍ରହଣ କରିନେଲେ । ହେଲେ ଭାରତର ଏହି ନିଷ୍ପତିକୁ ଆମେରିକା ସହଜରେ ଗ୍ରହଣ କରି ପାରିନାହିଁ ।

ୟୁକ୍ରେନ ଉପରେ ଆକ୍ରମଣ କଲା ରୁଷ । ଜବାବରେ ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶ ରୁଷିଆ ବିରୋଧରେ ଲଗାଇଲେ କଡା ଆର୍ଥିକ କଟକଣା । ଆଉ ବିପୁଳ ପ୍ରତିବନ୍ଧକ ପରେ ରୁଷିଆର କମ୍ପାନୀ ଏବେ ଅନେକ ସମସ୍ୟା ଦେଇ ଗତି କରୁଛି । ଆମେରିକା ରୁଷିଆ ଠାରୁ, ଅଶୋଧିତ ତୈଳ, ଗ୍ୟାସ୍, କୋଇଲା କିଣିବ ନାହିଁ ବୋଲି ଘୋଷଣା କରିବା ପରେ ରାଷ୍ଟ୍ରପତି ପୁଟିନ୍ଙ୍କ ଚିନ୍ତା ବଢି ଯାଇଛି । ରୁଷିଆର ତୈଳ କମ୍ପାନୀ ଗୁଡିକୁ ଗ୍ରାହକ ମିଳୁ ନାହାଁନ୍ତି । ଏହାକୁ ଦେଖି ରୁଷିଆ ଭାରତକୁ ଦେଲା ଏକ ବଡ ଅଫର ।

ରୁଷିଆର ସରକାରୀ ତୈଳ କମ୍ପାନୀ ଭାରତକୁ ସସ୍ଥା ଦରରେ ଅଶୋଧିତ ତୈଳ ବିକିବାକୁ ପ୍ରସ୍ତାବ ଦେଇଛି । ରୁଷିଆ ପାଖରୁ ଏହି ପ୍ରସ୍ତାବ ଏପରି ସମୟରେ ଆସିଛି ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶ ଛୁଆଁ ରହିଛି ।

ରୁଷିଆର ସବୁଠାରୁ ବଡ ସରକାରୀ ତୈଳ କମ୍ପାନୀ ରସନେଫ୍ଟ ଭାରତକୁ ଅଶୋଧିତ ତେଲ ଉପରେ ୨୫ରୁ ୨୫ ପ୍ରତିଶତ ରିହାତି ଦେବାକୁ ପ୍ରସ୍ତାବ ଦେଇଛି । ଗତବର୍ଷ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ଗସ୍ତରେ ଆସିଥିବାବେଳେ, ଦୁଇ ଦେଶ ମଧ୍ୟରେ ତୈଳ ଉତ୍ପାଦନ ନେଇ ଏକ ଚୁକ୍ତି ହୋଇଥିଲା । ସେହି ଚୁକ୍ତି ଅନୁସାରେ ରୁଷିଆର ସରକାରୀ ତେଲ କମ୍ପାନୀ ରସନେଫ୍ଟ ଭାରତରର ଇଣ୍ଡିଆନ ଅଏଲ କର୍ପୋରେସନ୍କୁ ୨ କୋଟି ଟନ୍ ଅଶୋଧିତ ତୈଳ ଯୋଗାଇବା ନେଇ ମଂଜୁରୀ ପ୍ରଦାନ କରିଥିଲା । ହେଲେ ଏବ ରୁଷିଆ ଉପରେ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରତିବନ୍ଧକ ଲାଗିବା ପରେ ତେଲ କିଣା ବିକାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିବାରେ ଲାଗିଛି ।

ଯୁଦ୍ଧର ପରିସ୍ଥିତି ଭିତରେ ରୁଷିଆ ସହ ବ୍ୟବସାୟିକ ସମ୍ପର୍କ ରଖିବା ପୂର୍ବରୁ ଭାରତ ସରକାରଙ୍କୁ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡିବ । ରୁଷ ପାଖରୁ ଭାରତ ଅଶୋଧିତ ତେଲ କିଣିବା ନେଇ ନିଷ୍ପତି ନେଇସାରିବା ପରେ, ଏହାକୁ ନେଇ କ୍ଷୁବ୍ଧ ହୋଇଛି ଆମେରିକା ।

ଅଶୋଧିତ ତେଲର ବଜାର ମୁଲ୍ୟ ବଢୁଥିବା ବେଳେ ରୁଷ ଭାରତକୁ ରିହାତିରେ ତେଲ ଦେବ ବୋଲି ଅଫର ଦେଇଥିଲା । ଆଉ ଭାରତ ଏଥିରେ ସହମତି ପ୍ରକାଶ କରିଛି । ଭାରତ ଏଭଳି ନିଷ୍ପତିକୁ ନେଇ ଜବାବ ରଖିଛି ହ୍ୱାଇଟ୍ ହାଉସ୍ । ହ୍ୱାଇଟ୍ ହାଉସ୍ର ମୁଖପାତ୍ର ଜେନ୍ ସାକି ଭାରତକୁ ନେଇ ନିଜ ଆଭିମୁଖ୍ୟ ରଖିଛନ୍ତି ।

ଭାରତ ରୁଷ ପାଖରୁ ତେଲ କିଣିଲେ ଆମର କୌଣସି ଅସୁବିଧା ନାହିଁ କିମ୍ବା ଏହା କୌଣସି ଚୁକ୍ତିର ଉଲ୍ଲଘଂନ ନୁହେଁ । କିନ୍ତୁ ଇତିହାସ ଯେତେବେଳେ ଲେଖାଯିବ ସେତେବେଳେ ଜଣାପଡ଼ିବ ଭାରତ ଯୁଦ୍ଧ ବେଳେ କ’ଣ ଆଭିମୁଖ୍ୟ ରଖିଛି ।

ହ୍ୱାଇଟ୍ ହାଉସ୍ ଏଭଳି କହି ଭାରତକୁ ପରୋକ୍ଷରେ ଚେତାବନୀ ଦେଇଛି । ରୁଷ୍ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ରୁଷର ଅଶୋଧିତ ତେଲ ଏବଂ ଗ୍ୟାସ୍ ଉପରେ ଆମେରିକା ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶ ରୋକ୍ ଲଗାଇଛନ୍ତି । ତେଣୁ ହ୍ୱାଇଟ୍ ହାଉସ୍ ଏବେ ଏପରି ବାର୍ତା ଦେଇ ଭାରତକୁ ପରୋକ୍ଷରେ ଚେତାବନୀ ଦେଇଛି । ବିଶ୍ୱରେ ଅଶୋଧିତ ତୈଳ ଉତ୍ପାଦନରେ ଆମେରିକା ଆଗରେ ରହିଥିବା ବେଳେ ଦ୍ୱିତୀୟରେ ରହିଛି ରୁଷ । ଫଳରେ ଆମେରିକାର ପ୍ରତିବନ୍ଧକପରେ ଭାରତକୁ ରିହାତି ଦରରେ ଅଶୋଧିତ ତେଲ ବିକିବାକୁ ପ୍ରସ୍ତାବ ଦେଇଛି ରୁଷିଆ । ତେବେ ଭାରତ ପକ୍ଷରୁ ବର୍ତମାନ ସୁଦ୍ଧା ଏହି ଅଫର୍କୁ ସ୍ୱିକାର କରାଯାଇ ନାହିଁ । ଭାରତ ରୁଷିଆର ଏହି ଅଫରକୁ ସ୍ୱିକାର କରିବ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ରୁଷ ଆକ୍ରମଣକୁ ନେଇ ଭାରତ ଏଯାବତ୍ ନିଜର ଆଭିମୁଖ୍ୟ ନିରପେକ୍ଷ ରଖିଛି । ଲୋକଙ୍କ ଉପରେ ଆକ୍ରମଣ ଠିକ୍ ନୁହେଁ, ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇପାରିବ ବୋଲି କହିଛି ଭାରତ । କିନ୍ତୁ ଜାତିସଂଘରେ ଏହି ପ୍ରସଙ୍ଗରେ ଭୋଟ୍ ବେଳେ ଭାରତ ବିରତି ରହିଥିଲା । କିନ୍ତୁ ଆମେରିକା ଏବଂ କିଛି ୟୁରୋପିଆନ୍ ଦେଶ ରୁଷର ଆକ୍ରମଣକୁ ବିରୋଧ କରି ଭୋଟ୍ ଦେଇଥିଲେ ।