୫ ଟି ରାଜ୍ୟରେ ପରାଜୟ ପରେ କଂଗ୍ରେସ ଅସନ୍ତୁଷ୍ଟ ଗୋଷ୍ଠୀର ମାନସ ମନ୍ଥନ, ଗୁଲାମନବୀ ଆଜାଦଙ୍କ ଘରେ ଚାଲିଛି ବୈଠକ

196

କନକ ବ୍ୟୁରୋ : ୫ ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଏବେ ଦଳ ଭିତରେ କନ୍ଦଳ ଆରମ୍ଭ ହୋଇଯାଇଛି । ବିଶେଷ କରି ପଞ୍ଜାବରେ ଦଳ ଯେଭଳି ପ୍ରଦର୍ଶନ କଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ଏହାରି ମଧ୍ୟରେ ଦଳର ଏଭଳି ପ୍ରଦର୍ଶନର ସୁଧାର ପାଇଁ ଦଳ ଭିତରେ ଥିବା ଅସନ୍ତୁଷ୍ଟ ଗୋଷ୍ଠୀ ଏବେ ଦଳର ହାଇକମାଣ୍ଡ ବଦଳାଇବାକୁ ଦାବି କରିଛନ୍ତି । ଏହି କ୍ରମରେ ଆଜି ଅସନ୍ତୁଷ୍ଟ ଗୋଷ୍ଠୀ ଗୁଲାମନବୀ ଆଜାଦଙ୍କ ଘରେ ଏକତ୍ରିତ ହୋଇଛନ୍ତି । ଏହି ବୈଠଳରେ ଭାଗନେଇଥିବା ନେତାଙ୍କ ମଧ୍ୟରେ ରହିଛନ୍ତି କପିଲ ଶିବଲ, ଶଶି ଥରୁର୍, ଆନନ୍ଦ ଶର୍ମା, ମନୀଷ ତିୱାରୀ, ଭୂପେନ୍ଦର ହୁଡ୍ଡା, ରାଜିନ୍ଦର କୌର, ଅଖିଳେଶ ପ୍ରତାପ ସିଂ, ପୃଥିରାଜ ଚୌହାନ, ପିଜେ କୋରିୟନ, ମଣିଶଂକର ଆୟର, କୁଲଦୀପ ଶର୍ମା ଓ ରାଜ ବବର । ସୂତ୍ର ସୂଚନା ମୁତାବକ ଏହି ବୈଠକ ପ୍ରଥମେ କପିଲ ଶିବଲଙ୍କ ବାସଭବନରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଥିଲା । ହେଲେ ଶିବଲ ଯେଭଳି ଭାବେ ଗାନ୍ଧୀ ପରିବାର ବିରୋଧରେ ଖୁଲାଖୋଲି ଆକ୍ରମଣ କରିଛନ୍ତି ତାହାକୁ ନଜରରେ ରଖି ଶେଷ ସମୟରେ ଏହି ବୈଠକ ଗୋଲାମନବୀ ଆଜାଦଙ୍କ ବାସଭବନରେ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

କହିରଖୁ କି ଦଳୀୟ ନେତୃତ୍ୱଙ୍କ ଉପରେ କପିଲ ଶିବଲ କିଛିବର୍ଷ ହେବ ଲାଗତର ଆକ୍ରମଣ ଜାରି ରଖିଛନ୍ତି । ସେ କହିଛନ୍ତି କି ଗାନ୍ଧୀ ପରିବାର କଂଗ୍ରେସ ନେତୃ୍ତ୍ୱରୁ ବାହାରକୁ ବାହାରିଯିବାର ଆବଶ୍ୟକତା ରହିଛି । ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଥିଲେ କି ଏହା କୌଣସି ପରିବାରର କଂଗ୍ରେସ ନୁହେଁ, କଂଗ୍ରେସ ପୂରା ଦେଶବାସୀଙ୍କର । ସେପଟେ ରବିବାର ଦିନ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ପରେ ଦଳୀୟ ନେତୃତ୍ୱ ମାନେ ସୋନିଆ ଗାନ୍ଧୀଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିବା ଓ ରାଜ୍ୟ ନେତୃତ୍ୱ ପରିବର୍ତ୍ତନ ନେଇ ପ୍ରସ୍ତାବ ଦେବା ପରେ ହାଇକମାଣ୍ଡ ପରିବର୍ତ୍ତନ ହୋଇ ନପାରେ ବୋଲି ଅନୁମାନ କରାଯାଉଛି ।