ରାଜଧାନୀ ଭୁବନେଶ୍ୱରରେ ପୁଣି ଗଛ କଟା। କ୍ୟାପିଟାଲ ହସ୍ପିଟାଲର ପିଜି ଇନଷ୍ଟିଚ୍ୟୁଟ ପାଇଁ ଚାଲିଛି ଗଛ କଟା।

113

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ପୁଣି ଗଛ କଟା । ବଳି ପଡ଼ିଲା ୩ଶହ ଗଛ । ବିଧାୟକଙ୍କ ସୌଧ ନିର୍ମାଣ ପାଇଁ ବଡ଼ ବଡ଼ ଗଛ କଟାକୁ ନେଇ ବିବାଦ ଥମିନଥିବା ବେଳେ ଭୁବନେଶ୍ୱରରେ ପୁଣି କଟା ହେଲା ଗଛ । ଏଥର କ୍ୟାପିଟାଲ ହସ୍ପିଟାଲର ପିଜି ଇନଷ୍ଟିଚ୍ୟୁଟ ପାଇଁ ଗଛ କଟା ଚାଲିଛି । ପିଜି ଇନ୍ଷ୍ଟିଚ୍ୟୁଟ୍ ପାଇଁ ବସ୍ତି ଉଚ୍ଛେଦ କରାଯାଉଛି । ଏହା ସହ ସେଠାରେ ଥିବା ବଡ଼ ବଡ଼ ଗଛକୁ ସବୁ କାଟି ଦିଆଯାଉଛି । ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନ ତତ୍ୱାବଧାନରେ ବେଧଡ଼କ ଭାବେ ଚାଲିଛି ଗଛ କଟା । ଏହି ପରିସରରେ ୪ଶହରୁ ଅଧିକ ବଡ଼ ବଡ଼ ଗଛ ଥିବା ବେଳେ ଅଧାରୁ ଅଧିକ ଗଛ କଟା ସରିଛି । ପ୍ରାୟ ୩ଶହ ଗଛ କଟାସରିଲାଣି ।

କିଛି ଦିନ ତଳେ ବିଧାୟକଙ୍କ ସୌଧ ନିର୍ମାଣ କରିବା ପାଇଁ ବଡ଼ ବଡ଼ ଗଛ କଟାଯାଉଥିଲା । ପାଖାପାଖି ହଜାରେ ଗଛ ବଳି ପଡ଼ିଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା । ପରିବେଶ ନଷ୍ଟ ହେଉଥିବା ଅଭିଯୋଗ କରି ପରିବେଶବିତ୍ ଗଛ କଟାଯାଉଥିବା ସ୍ଥାନରେ ବିରୋଧ ପ୍ରଦର୍ଶନ କରିଥିଲେ । ବାରମ୍ବାର ବିରୋଧ ପରେ ଗଛ କଟା ବନ୍ଦ ରହିଛି । ଏବେ ପୁଣି ପିଜି ଇନଷ୍ଟିଚ୍ୟୁଟ ପାଇଁ ଗଛ କଟା ଆରମ୍ଭ ହୋଇଛି ।