ତୁଟୁନି ବର୍ଷା-ଅନୁଭବ ବିବାଦ । ଅନୁଭବଙ୍କ ବିରୋଧରେ ପୁଣି କୋର୍ଟକୁ ଗଲେ ବର୍ଷା ପ୍ରିୟଦର୍ଶିନୀ ।

431

କନକ ବ୍ୟୁରୋ: ବର୍ଷା-ଅନୁଭବ ବିବାଦ ଚରମସୀମାରେ ଥିବା ବେଳେ ପୁଣି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବର୍ଷା । ସୋସିଆଲ ମିଡିଆ ମାଧ୍ୟମରେ ଅନୁଭବ ତାଙ୍କର ସମ୍ମାନହାନୀ କରୁଥିବା ବର୍ଷା ଅଭିଯୋଗ ଆଣିଛନ୍ତି । ହାଇକୋର୍ଟଙ୍କ ତାଗିଦ ପରେ ଅନୁଭବ ବର୍ଷାଙ୍କ ନାଁ ନେଇ ଭିଡିଓ କରିବା ବନ୍ଦ କରିଦେଇଥିଲେ । ହେଲେ କିଛି ଦିନ ପରେ ଫ୍ୟାନଙ୍କ ପାଇଁ ଭିଡିଓ କରୁଥିବା କହି ଅନୁଭବ ତାଙ୍କୁ ପରୋକ୍ଷରେ ଟାର୍ଗେଟ କରୁଥିବା ବର୍ଷା ଅଭିଯୋଗ କରିଛନ୍ତି ।

  • ଥମିବାର ନା ନେଉନି ବର୍ଷା ଅନୁଭବ ବିବାଦ
  • କମ୍ପ୍ଲେନ୍ କେସ୍ ରୁଜୁ କଲେ ବର୍ଷା

କିଛି ଦିନର ବ୍ୟବଧାନ ପରେ ପୁଣି ତେଜିଲା ବର୍ଷା-ଅନୁଭବ ବିବାଦ । ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ସଦର ଏଡିଜେଏମ୍ କୋର୍ଟରେ କମ୍ପ୍ଲେନ୍ କେସ୍ ରୁଜୁ କଲେ ବର୍ଷା ପ୍ରିୟଦର୍ଶିନୀ । ଅନୁଭବଙ୍କ ବିରୋଧରେ ଆଇପିସିର ଦଫା ୫୦୬, ୫୦୯, ୫୦୧ ଓ ଆଇଟି ଆକ୍ଟର ଧାରା ୬୭ରେ ଅଭିଯୋଗ ନେଇ କମ୍ପ୍ଲେନ୍ କେସ୍ ରୁଜୁ କରିଛନ୍ତି । ବର୍ଷା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସୋସିଆଲ ମିଡିଆରେ ଅନୁଭବଙ୍କ ବିଭିନ୍ନ ପୋଷ୍ଟ ତାଙ୍କ ସମ୍ମାନହାନୀ କରିଛି । ଏହା ଅଶାଳୀନ ତଥା ଅପମାନଜନକ ।

ବର୍ଷା କହିଛନ୍ତି ବ୍ୟକ୍ତିଗତ ଜୀବନ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ନାନା କଥା ସୋସିଆଲ ମିଡିଆରେ କୁହାଯାଉଛି । ଏପରି କାର୍ଯ୍ୟ ଆଇପିସି ଓ ଆଇଟି ଆକ୍ଟ ଅନୁସାରେ ଦଣ୍ଡନୀୟ ବୋଲି ବର୍ଷା ଦର୍ଶାଇଛନ୍ତି । ଏଥି ସହିତ ଧମକପୂର୍ଣ୍ଣ ପୋଷ୍ଟ ପ୍ରସଙ୍ଗରେ ମଧ୍ୟ ବର୍ଷା କମ୍ପ୍ଲେନ୍ କେସରେ ଲେଖିଛନ୍ତି ।

କିଛି ଦିନର ନିରବତା ପରେ ଗତ ଜୁନ ୭ ତାରିଖରେ ସୋସିଆଲ ମିଡିଆ ୟୁଟ୍ୟୁବରେ ଆଉ ଏକ ଭିଡିଓ ସେୟାର କରିଥିଲେ ବିଜେଡି ସାଂସଦ ଅନୁଭବ ମହାନ୍ତି । ଭିଡିଓଟି ଫ୍ୟାନଙ୍କ ପାଇଁ ବୋଲି କହିଥିଲେ ଅନୁଭବ । କିନ୍ତୁ ଭିଡିଓରେ ପରୋକ୍ଷରେ ବର୍ଷାଙ୍କୁ କଟାକ୍ଷ କରିଥିବା କଥା ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ ପୂର୍ବରୁ ବର୍ଷାଙ୍କ ନା ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଅନୁଭବ । ଏହାପରେ ବର୍ଷାଙ୍କୁ ନେଇ କିଛି ବିବାଦୀୟ ଭିଡିଓ ସୋସିଆଲ ମିଡିଆରେ ସେୟାର ନକରିବାକୁ କୋର୍ଟ ଅନୁଭବଙ୍କୁ ତାଗିଦ୍ କରିଥିଲେ ।