ନୂପୁର ଶର୍ମାଙ୍କ ଗିରଫ ଦାବିରେ ଜଳୁଛି ନିଆଁ। ଦିଲ୍ଲୀ,ୟୁପି, ଜମ୍ମୁରେ ଜୋରଦାର ବିକ୍ଷୋଭ।

392

କନକ ବ୍ୟୁରୋ: କେଉଁଠି ପଥରମାଡ ତ ପୁଣି କେଉଁଠି ନିଆଁ ଲଗାଇଲେ ଉପଦ୍ରବୀ । ଶୁକ୍ରବାର ନମାଜ ପାଠ ପରେ ଦେଶର ବିଭିନ୍ନ ରାଜ୍ୟରେ ଉତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି । ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ବିଜେପିର ନିଲମ୍ବିତ ନେତ୍ରୀଙ୍କ ବିରୋଧରେ ଜୋରଦାର ହେଉଛି ପ୍ରତିବାଦ, ବିରୋଧ ପ୍ରଦର୍ଶନ ଓ ବିକ୍ଷୋଭ । ମେ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ହେବାରେ ଲାଗିଛି । ଶୁକ୍ରବାର ରାଜଧାନୀ ଦିଲ୍ଲୀର ଜାମା ମସଜିଦ ବାହାରେ ନୂପୁରଙ୍କ ଗିରଫ ଦାବି କରି ଜୋରଦାର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ଜାମା ମସଜିଦ ବାହାରେ ହଜାର ସଂଖ୍ୟକ ମୁସଲିମ ସମ୍ପ୍ରଦାୟର ଲୋକମାନେ ମିଳିତ ପ୍ରଦର୍ଶନ କରି ତୁରନ୍ତ ନୂପୁରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ସ୍ଥିତିକୁ ଆୟତ କରିବା ସମୟରେ ଫାଙ୍କା ଗୁଳି ଚାଳନା କରିଛି । ପ୍ରଦର୍ଶନକାରୀ ଓ ପୁଲିସ ମଧ୍ୟରେ ବଡ ଧରଣର ମୁହାଁମୁହିଁ ଘଟଣାରେ ଅନେକ ଆହତ ହୋଇଥିବା ସୂଚନା ରହିଛି । କେବଳ ଦିଲ୍ଲୀ ନୁହେଁ ଉତ୍ତରପ୍ରଦେଶ ଓ ଜମ୍ମୁକାଶ୍ମୀର ବିଭିନ୍ନ ସହରରେ ଉଗ୍ର ହେଇଛି ନୁପୁରଙ୍କ ବିରୋଧରେ ପ୍ରତିବାଦ । କେଉଁଠି ପୋଡାଜଳା ତ ପୁଣି କେଉଁଠି ଭଙ୍ଗାରୁଚା କରିଛନ୍ତି ପ୍ରଦର୍ଶନକାରୀ । ବିରୋଧ ପ୍ରଦର୍ଶନ କରୁଥିବା ମୁସଲିମ ସଂଗଠନ ସମସ୍ତ ଘଟଣା ପାଇଁ ବିଜେପି ସରକାରଙ୍କୁ ଦାୟୀ କରୁଛନ୍ତି ।

କିଛି ଦିନ ପୂର୍ବରୁ ନୂପୁର ଶର୍ମା ଏକ ଟିଭି ଡିବେଟରେ ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଯାହାକୁ ନେଇ କେବଳ ଦେଶ ଭିତରେ ନୁହେଁ ଇସଲାମିକ ଦେଶମାନଙ୍କରେ ଜୋରଦାର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ବୟାନକୁ ନେଇ ଭାରତକୁ ବିଭିନ୍ନ ଗଲଫ ଓ ଇସଲାମିକ ଦେଶ ସମାଲୋଚନା କରୁଥିବାବେଳେ ଭାରତ ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି ।