ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। କହିଲେ, ଇଡି ପାଖରେ ଅଛି ତଦନ୍ତ ସହ ଗିରଫ କରିବାର ଅଧିକାର। 

189

କନକ ବ୍ୟୁରୋ: ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ହାତରେ ଗିରଫ କ୍ଷମତାକୁ ନେଇ ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅର୍ଥ ଠକେଇ ପ୍ରତିରୋଧୀ ଆଇନ ବା ପ୍ରିଭେନସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ, ପିଏମଏଲଏର କିଛି ନିର୍ଦ୍ଦିଷ୍ଟ ଧାରା ବଜାୟ ରଖିବା ସପକ୍ଷରେ ମତ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ  । ଏହାସହ କୋର୍ଟ କହିଛନ୍ତି ଯେ, ଖାଲି ତଦନ୍ତ ନୁହେଁ, ଏହା ଆବଶ୍ୟକସ୍ଥଳେ ଗିରଫ କରିବାର ଅଧିକାର ଇଡି ପାଖରେ ରହିଛି । ଇଡି ବିରୋଧରେ ତଦନ୍ତ, ସର୍ଚ୍ଚ, ସିଜ୍ ଓ ଗିରଫଦାରୀ କ୍ଷମତା ଅବୈଧାନିକ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

ଇଡିର ସମସ୍ତ କ୍ଷମତାକୁ ସର୍ବୋଚ୍ଚ ନ୍ୟାୟଳୟ କାଏମ ରଖିଛନ୍ତି । ଏଥିସହ ଇଡି ନିକଟରେ ଥିବା ପ୍ରିଭେସନ୍ ଅଫ୍ ମନି ଲଣ୍ଡ୍ରି ଆକ୍ଟ ବା ପିଏମଏଲଏକୁ କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କୋର୍ଟ କହିଛନ୍ତି, ଅର୍ଥ ଠକେଇ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିବା ବଳେ ଏହାର କାରଣ କହିବା ଇଡି ଅଧିକାରୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ  ।  ସେପଟେ ଶୁଣାଣୀ ସମୟରେ ଆବେଦନକାରୀ କହିଥିଲେ ମନିଲଣ୍ଡ୍ରିଂ ମାମଲାର ଅଭିଯୁକ୍ତଙ୍କୁ ଘଟଣା ବିଷୟରେ ନଜଣାଇ ହଠାତ ଗିରଫ କରାଯିବ ଅସାମ୍ବିଧାନିକ । ଇଡି ବୟାନ ରେକର୍ଡ କରିବା ସହ ବିନା ସୂଚନାରେ ଜରିମାନା ଆଦାୟ କରୁଛି । ଏହାକୁ ରଦ୍ଧ କରିବାକୁ ଆବେଦନ କରାଯାଇଥିଲା ଯାହାକୁ ଖାରଜ କରିଛନ୍ତି କୋର୍ଟ ।

କୋର୍ଟରେ ଇଡିର ଚଢାଉ ପ୍ରସଙ୍ଗକୁ ଉଠାଇ ଆବେଦନକାରୀ କହିଥିଲେ କି  ଅଭିଯୁକ୍ତର ବଞ୍ଚିବାର ଅଧିକାର କ୍ଷୁର୍ଣ୍ଣ ହେଉଛି । ଅନ୍ୟପଟେ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେତା ନିଜର ପକ୍ଷ ମଧ୍ୟ ରଖିଥିଲେ । ଦୁର୍ନୀତି ରୋକିବାକୁ ଇଡି ପାଖରେ ଥିବା ପିଏମଏଲଏ କ୍ଷମତା ଯଥାର୍ଥ ବୋଲି ବୋଲି  ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଇଡି ସରକାରଙ୍କ ଇସାରାରରେ କାମ କରୁଛି  ଓ ଏହା ବିରୋଧୀ ଦଳଙ୍କ ଶକ୍ତି କମ କରିବାରେ ସହାୟକ ହେଉଛି ବୋଲି ଅଭିଯୋଗ ହୋଇଥିଲା । ଏହାକୁ ନେଇ ପି,ଚିଦାମ୍ବରମ, ଅନିଲ ଦେଶମୁଖଙ୍କ ସମେତ ୨୪୨ଜଣ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବେ ଆବେଦନ ଉପରେ ଶୁଣାଣୀ କରି କୋର୍ଟ କହିଛନ୍ତି ପିଏମଏଲଏ ଭଳି ମାମଲାରେ ଇଡି ଗିରଫ କରିପାରିବ । ଜଷ୍ଟିସ ଦିନେଶ ମାହେଶ୍ୱରୀ, ଜଷ୍ଟିସ ଏଏମ ଖାନବିଲକର ଓ ଜଷ୍ଟିସ ରବିକୁମାର ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।