ହାତରେ ସ୍ତ୍ରୀଙ୍କ ନାଁ ସହ ‘I LOVE YOU’ ଲେଖି ଜେଲରେ ଝୁଲି ପଡ଼ିଲେ ସ୍ୱାମୀ : ୨ଦିନ ତଳେ ସ୍ତ୍ରୀ ମଞ୍ଜୁଙ୍କର ମୃତ୍ୟୁ ଘଟିଥିଲା; ସନ୍ଦେହରେ ଗିରଫ କରି ଜେଲରେ ରଖିଥିଲା ପୋଲିସ

539

କନକ ବ୍ୟୁରୋ : ସ୍ତ୍ରୀ’ଙ୍କ ମୃତ୍ୟୁର ଦୁଇ ଦିନ ପରେ ଜେଲ୍ ଭିତରେ ଝୁଲି ପଡ଼ିଲେ ସ୍ୱାମୀ । ସୋହେଲା ଠାରେ ଥିବା ବରଗଡ଼ କାରଗାରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜଣେ ବିଚାରାଧୀନ କଏଦୀ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ବେଳକୁ ଯୁବକଙ୍କ ହାତରେ ‘ଆଇ ଲଭ୍ ୟୁ ମଞ୍ଜୁ’ ଲେଖିଥିବା ଦେଖିବାକୁ ମିଳିଛି । ମୃତ କଏଦୀ ଜଣକ ହେଉଛନ୍ତି ସୋହେଲା ଥାନା ଅନ୍ତର୍ଗତ ପେଟୁପାଲି ଗ୍ରାମର ମୋହିତ ରାଉତ ।

ଦୁଇ ଦିନ ତଳେ ମୋହିତଙ୍କ ସ୍ତ୍ରୀ ମଞ୍ଜୁଙ୍କର ମୃତ୍ୟୁ ଘଟିଥିଲା । ମଞ୍ଜୁଙ୍କ ପରିବାର ଲୋକେ ଯୌତୁକ ନିର୍ଯାତନା ପାଇଁ ଝିଅର ଜୀବନ ଯାଇଥିବା ଅଭିଯୋଗ କରିଥିଲେ । ପରେ ସ୍ତ୍ରୀର ହତ୍ୟା ଅଭିଯୋଗରେ ମୋହିତଙ୍କୁ ଗିରଫ କରିଥିଲା ପୋଲିସ୍ । କୋର୍ଟରେ ମୋହିତଙ୍କ ଜାମିନ୍ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା । ତେବେ ବଡ଼ କଥା ସ୍ତ୍ରୀଙ୍କ ମୃତ୍ୟୁ ବେଳେ ମଧ୍ୟ ହାତରେ ସ୍ୱାମୀଙ୍କ ନାଁ ଲେଖାଥିଲା ।

ଆଉ ଆଜି ମୋହିତ ମଧ୍ୟ ହାତ ଓ ଗୋଡ଼ରେ ସ୍ତ୍ରୀର ନାଁ ସହ ‘ଆଇ ଲଭ ୟୁ’ ଲେଖି ଜେଲ ଭିତରେ ଝୁଲିପଡ଼ିଛନ୍ତି । ଆଉ ପୋଲିସ୍ ହେପାଜତରେ ଥିବା ମୋହିତ ବେକରେ ଗାମୁଛା ଲଗାଇ ଝୁଲିପଡ଼ିବା ପରେ ଜେଲ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ହାତରେ ସ୍ତ୍ରୀଙ୍କ ନାଁ ଲେଖି ଜୀବନ ହାରିଥିବା ମୋହିତ କିଭଳି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କଲେ ଓ ପୋଲିସ୍ ତାଙ୍କୁ ସନ୍ଦେହରେ ଉଠାଇ ଆଣିଲା, ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।