ଦୃଶ୍ୟମାନ ହେଲା ‘ଅସାନି’ର ଆଖି : ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

319

କନକ ବ୍ୟୁରୋ : ଦୃଶ୍ୟମାନ ହେଲା ‘ଅସାନି’ର ଆଖି । ଆଜି ସକାଳ ୯ଟାରେ ମଛଲୀପାଟନମ୍ ଡପ୍ଲର ରାଡାରରେ ଭୀଷଣ ବାତ୍ୟା ‘ଅସାନି’ର ଆଖି ଦୃଶ୍ୟମାନ ହୋଇଛି । ଗତ ୬ ଘଣ୍ଟା ହେବ ୧୦ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଅସାନି । ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୪୯୦ କିଲୋମିଟର ଦୂରରେ ରହିଛି । ସେହିପରି ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦ କିଲୋମିଟର ଦୂରରେ ରହିଛି ।

ଆଜି ମଧ୍ୟରାତ୍ରୀ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ । ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବା ସମ୍ଭାବନା ରହିଛି । ଏହା ଧୀରେ ଧୀରେ ଦୁର୍ବଳ ହେବ ଓ ୨୪ ଘଂଟା ମଧ୍ୟରେ ବାତ୍ୟାରେ ପରିଣତ ହେବ । ପରେ ଅବପାତରେ ପରିଣତ ହେବ । ବଡ଼ କଥା ହେଉଛି ଓଡ଼ିଶା ସୀମା ଛୁଇଁବା ପୂର୍ବରୁ ଅସାନି ଅବପାତର ରୂପ ନେଇ ସାରିଥିବ । ଏହି ରୂପ ଧରି ଅସାନି ପୂରା ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଧିକ ରହିଛି ।