ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଓଡ଼ିଶାରେ ସରଗରମ ହେଲା ରାଜନୀତି । ଦଳୀୟ ପଦାଧିକାରୀଙ୍କ ଦେଇପାରନ୍ତି ଗୁରୁମନ୍ତ୍ର ।

83

କନକ ବ୍ୟୁରୋ: ଆସନ୍ତାକାଲି ଓଡିଶା ଆସୁଛନ୍ତି ଅମିତ ଶାହ । ତାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟ ବିଜେପି । ନିର୍ବାଚନ ସମୟରେ ନବୀନ ସରକାରଙ୍କୁ କଡା କଟାକ୍ଷ କରୁଥିବା ଅମିତ ଶାହ ନିଜ ବକ୍ତବ୍ୟରେ କଣ କହିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସରେ ଯୋଗଦେବା ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଖାଲି ସେତିକି ନୁହେଁ, ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଅମିତ ଶାହା ଆସୁଥିବାରୁ ତାଙ୍କ ବକ୍ତବ୍ୟ କିପରି ରହିବ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ନବୀନ ସରକାରଙ୍କୁ ତତକାଳୀନ ବିଜେପି ସଭାପତି ଅମିତ ଶାହଙ୍କ କଟାକ୍ଷ କରିଥିଲେ । ଏହି ନିର୍ବାଚନରେ ବିଜେପି ଭଲ କରିନଥିଲେ ବି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିଲା ।

  • ପୁଣି ଓଡିଶା ଆସୁଛନ୍ତି ବିଜେପିର ଚାଣକ୍ୟ
  • ଅମିତ ଶାହଙ୍କୁ ଗସ୍ତକୁ ନେଇ ସରଗରମ ରାଜନୀତି

ଆଉ ଦୁଇବର୍ଷରୁ କମ ସମୟ ରହିଲା ସାଧାରଣ ନିର୍ବାଚନ । ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନ ହେବା ପରେ କେନ୍ଦ୍ରୀୟ ବିଜେପି ଫୋକସରେ ରହିଛି ଓଡିଶା । ଆଉ ଏସବୁ ଭିତରେ ଅମିତ ଶାହଙ୍କ ଦୁଇଦିନିଆ ଗସ୍ତ ରାଜନୀତି ପାଣିପାଗକୁ ସରଗରମ କରିଛି । ଅମିତ ଶାହଙ୍କ ଗସ୍ତ ଭିତରେ ରହିଛି କଟକରେ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ । ତେବେ ଅମିତ ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଛି ।

ବିରୋଧୀ ଦଳ ନେତା ପରିବର୍ତ୍ତନ କରି ବିଜେପି, ବିଜେଡି ବିରୋଧରେ ଲଢିବା ସଙ୍କେତ ଦେଇଛି । ଏପରିକି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ଅମିତ ଶାହଙ୍କ ଗସ୍ତ ପରେ ବିଜେଡି ବିରୁଦ୍ଧରେ ଲଢେଇର ମୂଳଦୂଆ ପଡିବ । ତେଣୁ ଅମିତ ଶାହଙ୍କ ଗସ୍ତ ବିଜେପି ଶିବିରରେ କେତେ ଜୋସ୍ ଭରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

ଦୁଇ ଦିନିଆ ଗସ୍ତବେଳେ ଅମିତ ଶାହ ରାଜ୍ୟ ବିଜେପି ଅଫିସରେ ଦଳୀୟ ପଦାଧିକାରୀ ଓ ବରିଷ୍ଠ ନେତାଙ୍କୁ ଭେଟିବେ । କୁହାଯାଉଛି…
-୨୦୨୪ ପାଇଁ ବିଜେପି ନେତାଙ୍କୁ ରୋଡମ୍ୟାପ୍ ଦେଇପାରନ୍ତି ବିଜେପିର ଚାଣକ୍ୟ
– ଦଳୀୟ ନେତାଙ୍କୁ ବିଜୟର ଗୁରୁମନ୍ତ୍ର ଦେବେ ଅମିତ ଶାହ
– ଗୋଷ୍ଠୀ କନ୍ଦଳକୁ ଭୁଲି ଏକାଠି ଲଢିବା ପାଇଁ ଦେବେ ଗୁରୁମନ୍ତ୍ର
-ମୋଦି ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଦେବେ ଜୋର
-ବୁଥ୍ ସ୍ତରରେ ସଙ୍ଗଠନକୁ ଦୃଢ କରିବା ଉପରେ ରହିବ
-୨୦୧୯ରେ ହାରିଯାଇଥିବା ସଂସଦୀୟ କ୍ଷେତ୍ର ଉପରେ ରହିପାରେ ଫୋକସ

ପଞ୍ଚାୟତ, ପୌର ଓ ଉପନିର୍ବାଚନରେ ବିଜେପି ଫେଲ ମାରିଥିଲା । ଏପରିକି ବ୍ରଜରାଜନଗରରେ ତୃତୀୟ ସ୍ଥାନକୁ ଖସିଆସିଥିଲା ଦଳ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଅମିତ ଶାହଙ୍କ ଗସ୍ତ ରାଜ୍ୟ ବିଜେପିକୁ ସଂଜୀବନୀ ଦେବ କି ? କଟକରେ ବିଜେଡି ସାଂସଦଙ୍କ କାର୍ଯ୍ୟକ୍ରମରେ କି ସନ୍ଦେଶ ଦେଉଛନ୍ତି ଅମିତ ଶାହ ସେ ଉପରେ ସମସ୍ତଙ୍କ ନଜର ରହିଛି ।