ବାପା ବନିଗଲା ସଇତାନ: ଦିବ୍ୟାଙ୍ଗ ପୁଅକୁ ମାରି ପୋଲ ତଳକୁ ଫିଙ୍ଗିଦେଲା

193

କନକ ବ୍ୟୁରୋ: ୧୩ ବର୍ଷର ମାନସିକ ଅନଗ୍ରସର ପୁଅକୁ ନିଜ ହାତରେ ତଂଟିଚିପି ମାରିଦେଲା ବାପା । ବିଶ୍ୱାସ ହେଉନଥିଲେ ବି ଏଭଳି ନୃଶଂସ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସହଦେବଖୁଂଟାର ଚାନ୍ଦମାରି ପଡ଼ିଆ ଅଂଚଳରେ । ନୁନିଆଯୋଡି ପୋଲ ତଳୁ ମୃତଦେହ ଜବତ ହେବା ପରେ ଏହି ବର୍ବରକାଣ୍ଡର ରହସ୍ୟ ଖୋଲିଛି । ଅଭିଯୁକ୍ତ ବାପା ଓ ସାବତ ମାଆଙ୍କୁ ଅପରାଧର ସିନ୍ ରିକ୍ରିଏସନ୍ କରିଛି ପୁଲିସ । ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ ।

ଯେତେବେଳେ ନିଘୋଡ଼ ନିଦରେ ଗାଁ ଲୋକ ଶୋଇ ରହିଥିଲେ, ସେତେବେଳେ ରକ୍ତମୁଖା ହୋଇ ଉଠିଥିଲା ଗଣେଶ ଜେନା । ନିଜ ପୁଅ ଓମ୍ ପ୍ରକାଶକୁ ସବୁ ଦିନ ପାଇଁ ଶୁଆଇ ଦେବାକୁ ପୂର୍ବରୁ କରି ସାରିଥିଲା ଯୋଜନା । ଓମ୍ କିଛି ଦୋଷ କରିନଥିଲା, ହେଲେ ମାନସିକ ଅନଗ୍ରସର ହୋଇଥିବାରୁ ବାପା ଗଣେଶ, ତାକୁ ବୋଝ ବୋଲି ଭାବୁଥିଲା । ରାତି ବଢ଼ିବା ସହ ଗଶେଶ ଉପରେ ସବାର ହୋଇଥିଲା ସଇତାନ । ତଂଟି ଚିପି ହତ୍ୟା କରିଥିଲା ନିରୀହ ଓମ୍କୁ । ଯିଏ ଜୀବନ କଣ, ମୃତ୍ୟୁ କ’ଣ ଜାଣିନଥିଲା, ତା’ ବାପା ଯେ ତା ପାଇଁ କାଳ ହୋଇ ଆସିବ, ତାକୁ ଅନ୍ଦାଜ କରିବାର ସାମର୍ଥ୍ୟ ନଥିଲା ତା’ର । ଦ୍ୱିତୀୟ ସ୍ତ୍ରୀ ପୂଜା ଜେନା, ଓମ୍ର ଗୋଡ଼ ଚାପି ଧରିଥିବା ବେଳେ ତଂଟି ଚିପି ମାରି ଦେଇଥିଲା ଗଣେଶ ।

ମାତ୍ର କିଛି ଦିନ ପୂର୍ବରୁ ଭଡ଼ା ଘର ନେଇ ସେହି ଅଂଚଳରେ ରହୁଥିଲା ଗଣେଶ । ଅବଶ୍ୟ ପୂର୍ବରୁ ଏଠାର ରହୁଥିଲା । ନିଜ ଦିବ୍ୟାଙ୍ଗ ପୁଅକୁ ସେ ଭଲ ପାଉଥିଲା । ଦ୍ୱିତୀୟ ବିବାହ ପରେ ପୂରା ବଦଳି ଯାଇଥିଲା ଗଣେଶ । ଦ୍ୱିତୀୟ ପତ୍ନୀ ପିଲାଟିକୁ ସାଙ୍ଗରେ ରଖିବାକୁ ଚାହୁନଥିଲେ । ଏନେଇ ପରିବାରର ବାରମ୍ବାର କଳହ ଲାଗି ରହୁଥିଲା । ୫ ତାରିଖ ଦିନ ପଡ଼ିଶା ଘର ଲୋକେ ଓମକୁ ଦେଖିବାକୁ ନପାଇବାରୁ ପଚରା ଉଚରା ପରେ ବିଭିନ୍ନ ବାହାନା ଦେଖାଇଥିଲେ ସାବତ ମା’ । ତେବେ ଗାଁ ଲୋକ ଅଧିକ ପଚରାଉଚରା କରିବା ପରେ ସତ ସାମ୍ନାକୁ ଆସିଥିଲା ।

ଦିବ୍ୟାଙ୍ଗ ହୋଇଥିବାରୁ ପ୍ରଥମରୁ ହିଁ ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇପଡ଼ିଥିଲା ଓମ୍ । ଏପରି ଅଲୋଡ଼ା ଯେ ଗୋଟିଏ ଫଟୋ ମଧ୍ୟ ତାର କେହି ଉଠାଇନଥିଲେ । ତେବେ ପଡ଼ୋଶୀ ଲୋକଙ୍କ କହିବା କଥା ସେ ଭାରି ସୁନ୍ଦର ଥିଲା । କିନ୍ତୁ ଥିଲା ମାନସିକ ଅନଗଅସର । ମାତ୍ର ୫ ବର୍ଷ ହୋଇଥିବା ବେଳେ ତା’ର ମାଆ ତାକୁ ଛାଡ଼ି ପଲାଇଥିଲେ । ପରିବାରର କେହି ତାକୁ ପାଖରେ ରଖିବାକୁ ଚାହୁଁନଥିଲେ । ୬ ମାସ ତଳେ ଗଣେଶର ଦ୍ୱିତୀୟ ପତ୍ନୀଙ୍କ ଏକ ପିଲା ଜନ୍ମ ହେବା ପରେ ନିର୍ଯାତନା ବଢିଯାଇଥିଲା । ଗଣେଶ ରୋଷେଇ କାମ ପାଇଁ ବାହାରକୁ ଯାଉଥିବା ବେଳେ ସାବତ ମାଆର ଅକଥନୀୟ ନିର୍ଯାତନା ଦେଉଥିଲା ।